ଯୋଗୀ ସରକାରଙ୍କୁ ଘେରିଲେ ବିରୋଧୀ

ଲକ୍ଷ୍ନୌ: ଗୋହତ୍ୟା ସନ୍ଦେହକୁ ନେଇ ୟୁପିର ବୁଲନ୍ଦସର୍‌ରେ ବ୍ୟାପକ ହିଂସାକାଣ୍ଡ ଯୋଗୁ ପୁଲିସ୍‌ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ମୃତ୍ୟୁ ହେବା ପରେ ବିରୋଧୀ ଦଳଗୁଡ଼ିକ ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଘେରିଛନ୍ତି। ସମାଜବାଦୀ ପାର୍ଟି (ଏସ୍‌ପି), ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏବଂ କଂଗ୍ରେସ ଏହି ଘଟଣାକୁ ନେଇ ସରକାରଙ୍କୁ ଘନଘନ ପ୍ରଶ୍ନ କରିଛନ୍ତି। ଏମିତି କି ରାଜ୍ୟ ମନ୍ତ୍ରୀ ଓମ୍‌ପ୍ରକାଶ ରାଜଭର ହିଂସା ଘଟଣାର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଏହି ଘଟଣା ଘଟିନଥିଲା। କିନ୍ତୁ ସହରରେ ମୁସଲମାନଙ୍କର ଇଜ୍‌ତମା ଚାଲୁଥିବା ବେଳେ ଏଭଳି ଘଟଣା ଘଟିଲା। ଏହା ପଛରେ କାରଣ କ’ଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ବିଏସ୍‌ପି ସୁପ୍ରିମୋ ମାୟାବତୀ କହିଛନ୍ତି ଯେ ରାଜ୍ୟରେ ବିଜେପିର ଜଙ୍ଗଲରାଜ ଚାଲିଛି। ଏଭଳି ହିଂସା ଘଟି ପୁଲିସ ଇନ୍ସପେକ୍ଟରଙ୍କ ପ୍ରାଣହାନି ହେବା ପଛରେ ବିଜେପି ସରକାରର ତ୍ରୁଟିପୂର୍ଣ୍ଣ ନୀତି ଦାୟୀ। ସମାଜବାଦୀ ପାର୍ଟି ମୁଖ୍ୟ ଅଖି‌ଳେଶ ଯାଦବ କହିଛନ୍ତି, ରାଜ୍ୟ ଏବେ ଅରାଜକତା ଦେଇ ଗତି କରୁଛି। କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟକୁ ଅରାଜକତା ମଧ୍ୟକୁ ଠେ‌ଲି ନିର୍ବାଚନ ଭ୍ରମଣରେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର