ରାହୁଲ ଓ ୯ ବିରୋଧୀ ଦଳ ନେତାଙ୍କ କଶ୍ମୀର ଗସ୍ତ ଆଜି

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ଜମ୍ମୁ କଶ୍ମୀର ଗସ୍ତରେ ଯିବାକୁ ଯୋଜନା କରିଛନ୍ତି। ରାହୁଲଙ୍କ ସହ ଅନ୍ୟ ୯ ଜଣ ବିରୋଧୀ ଦଳ ନେତା ମଧ୍ୟ ଜମ୍ମୁ କଶ୍ମୀର ଗସ୍ତ କରିବେ। କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇ ନେତା ଡି ରାଜା, ସିପିଆଇଏମ୍‌ ନେତା ସୀତାରାମ ୟେଚୁରି ଏବଂ ଆରଜେଡି ନେତା ମନୋଜ ଝା ଏହି ଗସ୍ତରେ ଯାଉଥିବା ଜଣାପଡ଼ିଛି। ତେବେ ରାହୁଲ ଓ ଅନ୍ୟ ବିରୋଧୀ ଦଳ ନେତାଙ୍କ କଶ୍ମୀର ଗସ୍ତ କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ବିରୋଧ କରାଯାଇଛି। ଏହା ଘାଟିର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ବରିଷ୍ଠ କଂଗ୍ରେସ ନେତା ଏବଂ ରାଜ୍ୟସଭା ସଦସ୍ୟ ଗୁଲାମନବୀ ଆଜାଦ ପ୍ରଥମେ କଶ୍ମୀର ଗସ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ଜମ୍ମୁ ବିମାନବନ୍ଦରରେ ଅଟକ ରଖାଯାଇ ଦିଲ୍ଲୀ ଫେରାଇ ଦିଆଯାଇଥିଲା। ପୂର୍ବରୁ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକ ରା‌ହୁଲଙ୍କୁ କଶ୍ମୀର ଆମନ୍ତ୍ରଣ କରି କଶ୍ମୀର ସ୍ଥିତି ସମୀକ୍ଷା ପାଇଁ ଆହ୍ବାନ କରିଥିଲେ। କିନ୍ତୁ ରାହୁଲ ଏହାର କଡ଼ା ଜବାବ ଦେଇ କହିଥିଲେ ଯେ ସେ କଶ୍ମୀର ଯିବାପାଇଁ ଚାହାନ୍ତି କିନ୍ତୁ ଏଥିପାଇଁ ତାଙ୍କୁ ସ୍ବାଧୀନତା ଦରକାର। ଅନ୍ୟପକ୍ଷେ ଜମ୍ମୁ କଶ୍ମୀରରେ ଅଟକ ଥିବା ରାଜ‌ନେତାମାନଙ୍କୁ ମୁକ୍ତ କରିବା ଦିଗରେ ବିରୋଧୀ ଦଳ ନେତାମା‌ନେ ଖୁବ୍‌ ଶୀଘ୍ର ଆନ୍ଦୋଳନ କରିପାରନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର