ନିଜ ଫାଶରେ ଫଶିଲା ବିଜେପି, ୪ଟି ରାଜ୍ୟରେ ସରକାର ଗଢିବା ପାଇଁ ଦାବି କଲେ ବିରୋଧୀ ଦଳ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳକୁ ସରକାର ଗଠନ ପାଇଁ ରାଜ୍ୟପାଳ ଡାକିବା ପରେ ଏକ ନୂଆ ସମସ୍ୟାର ସମ୍ମୁଖୀନ ହୋଇଛି ବିଜେପି । ସମାନ ନିୟମ ଗୋଆ, ମଣିପୁର, ବିହାର ଓ ମେଘାଳୟରେ ପ୍ରୟୋଗ କରିବାକୁ କଂଗ୍ରେସ ଦାବି କରିଛି । ଏହା ଫଳରେ ବିଜେପି ନିଜର ପୂର୍ବ ଫର୍ମୁଲାରେ ନିଜେ ଫଶିଯାଇଛି । ବିହାରରେ ଆରଜେଡି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳ ହୋଇଥିବାରୁ ରାଜ୍ୟପାଳ ସରକାର ଗଠନ ପାଇଁ ଡାକିବା କଥା ବୋଲି ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି । ଏଥିପାଇଁ ସେ ଆସନ୍ତା କାଲି ବିହାର ରାଜ୍ୟପାଳ ସତ୍ୟାପାଲ ମଲିକଙ୍କୁ ଭେଟିବେ । ସେହିପରି ଗୋଆରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦଳ ଏହି ରାଜ୍ୟର ବିଧାନସଭାରେ ଏକକ ସଂଖ୍ୟା ଗରିଷ୍ଠତା ପାଇଥିବାରୁ ଆସନ୍ତା କାଲି ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବ । ଅନ୍ୟପକ୍ଷରେ ପୂର୍ବତନ ମଣିପୁର ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂ ଓ ପୂର୍ବତନ ମେଘାଳୟ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ମଧ୍ୟ ଆସନ୍ତା କାଲି ନିଜ ନିଜ ରାଜ୍ୟର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ ।

ରାହୁଲଙ୍କ ବିବାଦୀୟ ମନ୍ତବ୍ୟ
ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଦେଇଥିବା ଏକ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି । ସେ କହିଛନ୍ତି ଏକ ଗଣତାନ୍ତ୍ରିକ ଦେଶରେ ଏପରି ଘଟଣା ପ୍ରଥମ ଥର ପାଇଁ ହେଉଛି । ଏପରି ଘଟଣା କେବଳ ପାକିସ୍ତାନ ଓ କେତେକ ଆଫ୍ରିକୀୟ ଏକଛତ୍ରବାଦୀ ଶାସନରେ ଦେଖିବାକୁ ମିଳିଥାଏ । କିନ୍ତୁ ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତରେ ଏପରି ହୋଇଛି । ତେବେ ଏହି ବକ୍ତବ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି ।

ସମ୍ବନ୍ଧିତ ଖବର