ମୋଦୀଙ୍କ ଉଦ୍‌ବୋଧନକୁ ବିରୋଧୀ ନେତାଙ୍କ ସମାଲୋଚନା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବିରୋଧରେ ମିଳିତ ଲଢ଼େଇ ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ୫ ତାରିଖ ରାତି ୯ଟାରେ ସମଗ୍ର ଦେଶବାସୀ ନିଜ ଘର ବାଲ୍‌କୋନି କିମ୍ବା ଦ୍ବାର ମୁହଁରେ ୯ ମିନିଟ୍‌ ପର୍ଯ୍ୟନ୍ତ ଦୀପ, ମହମବତୀ ଜାଳିବାକୁ କିମ୍ବା ମୋବାଇଲ୍‌ର ଫ୍ଲାସ୍‌ ଲାଇଟ୍‌ ଜଳାଇବାକୁ ମୋଦୀ କହିଥିଲେ। ତେବେ ମୋଦୀଙ୍କୁ ଏନେଇ ଆଜି ବିରୋଧୀ ଦଳ ନେତାମାନେ କଡ଼ା ସମାଲୋଚନା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ବାସ୍ତବ ପ୍ରସଙ୍ଗ ଉପରେ ଫୋକସ୍‌ କରିନଥିବା ଅଭିଯୋଗ କରି ସେମାନେ ମୋଦୀଙ୍କୁ ସମାଲୋଚନା କରିଛନ୍ତି। କରୋନା ମହାମାରୀ ବି‌ରୋଧରେ ଲଢ଼େଇ ପାଇଁ ବାସ୍ତବ ପ୍ରସଙ୍ଗ ଉପରେ ମୋଦୀ ଫୋକସ୍ କରନ୍ତୁ ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଏବଂ ସାଂସଦ ଶଶି ଥରୁର୍‌ ମୋଦୀଙ୍କ ଭାଷଣରୁ ଭବିଷ୍ୟତ ପାଇଁ କୌଣସି ଲକ୍ଷ୍ୟ ନାହିଁ ଏବଂ ଲୋକଙ୍କ କଷ୍ଟ ଓ ଆର୍ଥିକ ସଙ୍କଟ ହଟାଇବାପାଇଁ ମଧ୍ୟ ମୋଦୀଙ୍କ ଭାଷଣରେ କିଛି ନାହିଁ ବୋଲି କହିଛନ୍ତି। ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦମ୍ବରମ, ତୃଣମୂଳ କଂଗ୍ରେସ ସାଂସଦ ଏମ୍‌ପି ମହୁଆ ମୋଇତ୍ରା ମଧ୍ୟ ସମାନ କଥା କହିଛନ୍ତି। କଂଗ୍ରେସ ନେତା ପି ଚିଦମ୍ବରମ ମୋଦୀଙ୍କୁ ଅନୁରୋଧ କରି ପ୍ରମୁଖ ଅର୍ଥନୀତିଜ୍ଞ ଏବଂ ବିପର୍ଯ୍ୟୟ ବିଶେଷଜ୍ଞଙ୍କ ସହ କଥା ହେବାକୁ କହିଛନ୍ତି। ଅନ୍ୟପକ୍ଷେ ମହୁଆ ମୋଇତ୍ରା କହିଛନ୍ତି, ମୋଦୀ ଭାରତ ଜିଡିପିର ୮-୧୦ ପ୍ରତିଶତ କରୋନା ମୁକାବିଲାରେ ଖର୍ଚ୍ଚ କରିବାକୁ ଘୋଷଣା କରନ୍ତୁ।

ସମ୍ବନ୍ଧିତ ଖବର