ପ୍ରଧାନ ବିଚାରପତିଙ୍କ ବହିଷ୍କାର ନିମନ୍ତେ ଉପରାଷ୍ଟ୍ରପତିଙ୍କ ପାଖରେ ନୋଟିସ୍‌ ଦାଖଲ କଲେ ବିରୋଧୀ ନେତା

ନୂଆଦିଲ୍ଲୀ: ଆଜି ବିରୋଧୀ ଦଳର ନେତାମାନେ ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ପଦରୁ ବହିଷ୍କାର କରାଇବା ନିମନ୍ତେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ପାଖରେ ନୋଟିସ୍‌ ଦାଖଲ କରିଛନ୍ତି।

ଗତକାଲି ସୁପ୍ରିମ୍‌ କୋର୍ଟ ସିବିଆଇ ଜଜ୍‌ ବିଏଚ୍‌ ଲୋୟାଙ୍କ ମୃତ୍ୟୁ ଘଟଣା ତଦନ୍ତ ଦାବିକୁ ଅଗ୍ରାହ୍ୟ କରିଦେବା ପରେ ବହିଷ୍କାର ପଦକ୍ଷେପ ଆଗତ ହୋଇଛି।

ସାତଟି ରାଜନୈତିକ ଦଳର ୬୦ରୁ ଊର୍ଦ୍ଧ୍ୱ ସାଂସଦ ଭାରତର ପ୍ରଧାନ ବିଚାରପତିଙ୍କୁ ବହିଷ୍କାର କରାଇବା ପାଇଁ ଆଗତ ନୋଟିସ୍‌ରେ ଦସ୍ତଖତ କରିଛନ୍ତି।  କଂଗ୍ରେସ, ଏନ୍‌ସିପି, ସିପିଏମ୍‌, ସିପିଆଇ, ଏସ୍‌ପି, ବିଏସ୍‌ପି ଏବଂ ମୁସ୍‌ଲିମ୍‌ ଲିଗ୍‌ର ସାଂସଦ ଏହି ନୋଟିସରେ ସ୍ବାକ୍ଷର କରିଛନ୍ତି।

ନାଇଡୁଙ୍କୁ ଭେଟିବା ପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ୍‌ ସମସ୍ତ ଦଳର ପ୍ରତିନିଧିମାନଙ୍କୁ ଭେଟିଥିଲେ। ସେମାନେ ସମସ୍ତେ ଗତ ଫେବ୍ରୁଆରି ମାସରେ ଲୋୟାଙ୍କ ମୃତ୍ୟୁର ତଦନ୍ତ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆବେଦନ କରିଥିଲେ। ଜାନୁଆରି ୧୨ ତାରିଖ ଦିନ ସୁପ୍ରିମ୍‌ କୋର୍ଟର ୪ ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ପରେ  ପ୍ରଥମେ ପ୍ରଧାନ ବିଚାରପତିଙ୍କ ବହିଷ୍କାର ପ୍ରସ୍ତାବ ଉଠିଥିଲା।

ସମ୍ବନ୍ଧିତ ଖବର