୨୦୧୯ ପାଇଁ ଶକ୍ତି ପ୍ରଦର୍ଶନ : କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏକାଠି ହେଲେ ମୋଦି-ବିରୋଧୀ

ଯୋଗଦେଲେନି କେସିଆର, ନବୀନ, ଷ୍ଟାଲିନ୍‌

ବେଙ୍ଗାଲୁରୁ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି କୁମାରସ୍ୱାମୀ। ରାଜ୍ୟରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଲାଗି କଂଗ୍ରେସ ଏବଂ ଜେଡିଏସ୍‌ ହାତ ମିଳାଇ ଏହି ମେଣ୍ଟ ସରକାର ଗଢିଛନ୍ତି। ତେବେ ଏହି ଅବସରରେ ଆଜି ମୁଖ୍ୟ ଆକର୍ଷଣ ଥିଲା ମୋଦି ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ। ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ବିରୋଧୀ ଦଳର ଅନେକ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ନେତା। ଜାତୀୟ ରାଜନୀତିରେ ବିରୋଧୀ ଦଳଙ୍କର ଏଭଳି ଏକତା ପ୍ରଦର୍ଶନ ବିରଳ ବୋଲି କୁହାଯାଉଛି । ଆସନ୍ତା ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସେମାନେ ଏକାଠି ହୋଇ ମୋଦିଙ୍କୁ ଚାଲେଞ୍ଜ ଦେବେ ବୋଲି ସଙ୍କେତ ମଧ୍ୟ ଦେଇଛନ୍ତି। ଏହାସହିତ ଉକ୍ତ ନିର୍ବାଚନରେ କେଉଁ ଦଳ କାହା ସହିତ ରହିବେ ତାହାର ଚିତ୍ର ପାଖାପାଖି ସ୍ପଷ୍ଟ ହୋଇଯାଇଛି।

ଆଜି ଶପଥ ଗ୍ରହଣ ମଞ୍ଚରେ ଏକଜୁଟ ହୋଇଥିବା ନେତାମାନେ ହେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଜେଡିଏସ୍‌ ମୁଖ୍ୟ ଏଚଡି ଦେବେଗୌଡ଼ା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ବିଏସ୍‌ପି ସୁପ୍ରିମୋ ମାୟାବତୀ, ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ସିପିଏମ୍‌ ନେତା ସୀତାରାମ ୟେଚୁରୀ, ଆରଜେଡି ନେତା ତେଜସ୍ୱୀ ଯାଦବ, ଏନସିପି ନେତା ଶରଦ ପାଓ୍ଵାର, ଶରଦ ଯାଦବ ଏବଂ ତାମିଲନାଡ଼ୁରେ ନୂଆ ରାଜନୈତିକ ଦଳ ଗଠନ କରିଥିବା ଚଳଚ୍ଚିତ୍ର ତାରକା କମଲ ହାସନ।

ମଞ୍ଚରେ ସବୁଠାରୁ ବିରଳ ଦୃଶ୍ୟ ଥିଲା ପଶ୍ଚିମ ବଙ୍ଗରେ ପରସ୍ପରର କଟ୍ଟର ବିରୋଧୀ ରୂପେ ପରିଚିତ ମମତା ବାନାର୍ଜୀ ଏବଂ ସିପିଏମ୍‌ ନେତା ସୀତାରାମ ୟେଚୁରି ଗୋଟିଏ ମଞ୍ଚରେ ବସିବା ସହିତ କରମର୍ଦନ କରିଥିଲେ। ଏହି ଦୃଶ୍ୟ ବିଜେପିର ନିଦ ହଜାଇ ଦେଇଛି ବୋଲି କୁହାଯାଉଛି। କାରଣ ପଶ୍ଚିମ ବଙ୍ଗରେ ଶାସନ କ୍ଷମତାରେ ରହିବାରେ ଦିନେ ରେକର୍ଡ କରିଥିବା ସିପିଏମ୍‌ ଏବେ ତୃତୀୟ ସ୍ଥାନକୁ ଖସିଯାଇଛି। ରାଜ୍ୟ ନିର୍ବାଚନରେ ବିଜେପି ଏକ ଶକ୍ତି ରୂପେ ଉଭା ହେଉଛି। ୟୁପିରେ ଅଖିଳେଶ ଓ ମାୟାବତୀ ଏକାଠି ହୋଇ ଯେଭଳି ବିଜେପିକୁ ଦୁଇଟି ଲୋକସଭା ଆସନ ଉପନିର୍ବାଚନରେ ଝଟକା ଦେଲେ ସେହିଭଳି ପଶ୍ଚିମ ବଙ୍ଗରେ ମମତା ଓ ସିପିଏମ୍‌ ଏକାଠି ହେଲେ ବିଜେପି ପାଇଁ ଚିନ୍ତାର କାରଣ ହେବ।

କିନ୍ତୁ କଂଗ୍ରେସର ଆଦର୍ଶକୁ ବିରୋଧ କରୁଥିବା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବଂ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟପନାୟକଙ୍କୁ ଏହି ବିରୋଧୀ ମହାମେଣ୍ଟରେ ଦେଖିବାକୁ ମିଳିନଥିଲା। ଏହାଛଡ଼ା ଡିଏମ୍‌କେ, ଆନ୍ନାଡିଏମ୍‌କେ, ନେସନାଲ କନଫେରେନ୍ସ, କେଏସ୍‌ଆରଓ୍ଵାଇ କଂଗ୍ରେସର କୌଣସି ନେତାଙ୍କୁ ମଧ୍ୟ ଦେଖିବାକୁ ମିଳି ନଥିଲା। ୨୦୧୯ ନିର୍ବାଚନରେ ଏମାନଙ୍କର ଭୂମିକା କଣ ହେବ ତାହା ଏବେ ବି ଅସ୍ପଷ୍ଟ ହୋଇ ରହିଛି।

ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ନିକଟରେ ଅନୁଷ୍ଠିତ ୟୁପି ଉପ ନିର୍ବାଚନରେ ସମାଜବାଦୀ ପାର୍ଟି ଓ ବିଏସ୍‌ପି ମେଣ୍ଟ କରି ସଫଳ ହୋଇଥିଲେ। ଏବେ କର୍ଣ୍ଣାଟକରେ ବିଜେପିକୁ ହଟାଇବା ଲାଗି କଂଗ୍ରେସ ଓ ଜେଡିଏସ୍‌ ଏକାଠି ହୋଇଛନ୍ତି। ଏହି ଦୁଇଟି ଘଟଣା ମୋଦି ବିରୋଧୀଙ୍କୁ ଉତ୍ସାହିତ କରିଛି। ତେବେ ବିଜେପି ଆଜିର ଏହି ଶକ୍ତି ପ୍ରଦର୍ଶନକୁ ବିଶେଷ ଗୁରୁତ୍ୱ ଦେଉନି ବୋଲି କହୁଛି। କିନ୍ତୁ ଗୋଟିଏ ପରେ ଗୋଟିଏ ସହଯୋଗୀ ଦଳ ଏହା ଉପରେ ଯେମିତି ଅସନ୍ତୁଷ୍ଟ ହେବାରେ ଲାଗିଛନ୍ତି ତାହାକୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ସଭାପତି ଅମିତ ଶାହ ଅଣଦେଖା କରିପାରିବେ ନାହିଁ। ବିଜେପି ହାତ ଛାଡ଼ିଦେଇଛି ଟିଡିପି। ପଞ୍ଜାବରେ ଅକାଳୀ ଦଳ କ୍ଷମତାଚ୍ୟୁତ ହୋଇଛି। ମହାରାଷ୍ଟ୍ରରେ ଶିବସେନା ଏବଂ କଶ୍ମୀରରେ ପିଡିପି ସହ ବିଜେପିର ସଂପର୍କ ତିକ୍ତ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ୨୦୧୯ ସାଧାରଣ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଲଢ଼ିଲେ ବିଜେପି ପାଇଁ କଷ୍ଟକର ହୋଇପଡ଼ିବ ବୋଲି କୁହାଯାଉଛି।

ରାଜନୈତିକ ସମୀକ୍ଷକମାନଙ୍କ ହିସାବ ଅନୁଯାୟୀ ବେଙ୍ଗାଲୁରୁରେ ଆଜି ଶକ୍ତି ପ୍ରଦର୍ଶନ କରିଥିବା ବିରୋଧୀଙ୍କ ହାତରେ ୩୬ ଭାଗ ଭୋଟ ଥିବା ବେଳେ ଏନଡିଏ ହାତରେ ରହିଯାଇଛି ୩୨ ଭାଗ।

ସୂଚନାଯୋଗ୍ୟ, ବିଜେପି ନେତୃତ୍ୱରେ ଗଠିତ ଏନଡିଏରେ ୨୮ଟି ଛୋଟ ବଡ଼ ଦଳ ସାମିଲ ହୋଇ ଗତ ୨୦୧୪ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏଥିରେ ବିଜେପିକୁ ଅଭୂତପୂର୍ବ ସଫଳତା ମିଳିଥିଲେ ମଧ୍ୟ ଏହାର ସହଯୋଗୀ ଶିବ ସେନା (୧୮) ଓ ଟିଡିପି (୧୬)କକୁ ଛାଡ଼ିଦେଲେ ଅନ୍ୟମାାନେ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଏହାଛଡ଼ା ୧୭ଟି ସହଯୋଗୀ ଦଳ ନିର୍ବାଚନରେ ଖାତା ଖୋଲି ପାରିନଥିଲେ। ତେବେ ଚଳିତ ବର୍ଷ ଏନଡିଏରୁ ବାହାରି ଯାଇଛି ଟିଡିପି । ବିଜପି ସହିତ କେବଳ ରହିଯାଇଛି ବଡ଼ ସହଯୋଗୀ ରୂପେ ପରିଚିତ ଶିବ ସେନା। କିନ୍ତୁ ବିଜେପି ସହିତ ଏହାର ସଂପର୍କ ତିକ୍ତ ରହିଛି।

ସମ୍ବନ୍ଧିତ ଖବର