ଅପରେସନ୍‌ ଅଲ୍‌ ଆଉଟ୍‌ ଜୋର୍‌ଦାର: ୮ ଆତଙ୍କବାଦୀ ନିପାତ, ୧୨ ଯବାନ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି ସୁରକ୍ଷାବାହିନୀକୁ ବଡ଼ ଧରଣର ସଫଳତା ମିଳିଛି। ୩ଟି ପୃଥକ୍‌ ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିହତ ହୋଇଛନ୍ତି। ବାରମୁଳା, ରିଆସି ଏବଂ କେରାନ୍‌ ସେକ୍ଟରରେ ଆଜି ସୁରକ୍ଷାବାହିନୀ ଗୁଳିରେ ୮ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତିି। ଏନ୍‌କାଉଣ୍ଟର ସମୟରେ ଜଣେ ଡିଏସ୍‌ପିଙ୍କ ସମେତ ୧୨ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ରିଆସି ଜିଲ୍ଲାରେ ସିଆରପିଏଫ୍‌, ପୁଲିସ ଏବଂ ସେନାବାହିନୀ ଦ୍ୱାରା ଗତକାଲିଠାରୁ ଆରମ୍ଭ ହୋଇଥିବା ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନରେ ଡ୍ରୋନ୍‌ ଏବଂ ହେଲିକପ୍ଟର ବ୍ୟବହାର ହୋଇଥିଲା। ଏଠାରେ ସୁରକ୍ଷାବାହିନୀ କାର୍ଯ୍ୟାନୁଷ୍ଠାନରେ ୩ ଜଣ ଜେଇଏମ୍‌ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେପଟେ ବାରମୁଳା ଜିଲ୍ଲାର ସୋପୋର୍‌ ଅଞ୍ଚଳରେ ମଧ୍ୟ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଦୁଇଜଣ ଜେଇଏମ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ କେରନ୍‌ ସେକ୍ଟରରେ ମଧ୍ୟ ସୁରକ୍ଷାବାହିନୀ ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହିଭଳି ୩ଟି ପୃଥକ୍‌ ଏନ୍‌କାଉଣ୍ଟରରେ ଯଥାକ୍ରମେ ୮ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତକାଲି ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ପ୍ରଥମେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିବା ଦ୍ୱାରା ଏହାର ଜବାବ ଦେଇ ସୁରକ୍ଷାବାହିନୀ ବଳିଷ୍ଠ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରିଆସି ଜିଲ୍ଲାର ଝଜ୍ଜର-କୋଟ୍‌ଲି ଜଙ୍ଗଲରେ ଆତଙ୍କବାଦୀ ଲୁଚିଥିବା ଜାଣିପାରି ସୁରକ୍ଷାବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିବା ଦ୍ୱାରା ସୁରକ୍ଷାକର୍ମୀ ମଧ୍ୟ ପାଲଟା ଜବାବ ଦେଇଥିଲେ। ସମ୍ପୃକ୍ତ ଅଞ୍ଚଳରେ ଏଯାବତ୍‌ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଅନ୍ୟପକ୍ଷେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସମସ୍ତ ଚେକ୍‌ପୋଷ୍ଟ୍‌ରେ ହାଇ ଆଲର୍ଟ ଜାରି ହୋଇଛି। ଅନେକ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବାତିଲ କରି ଦିଆଯାଇଛି।

ସମ୍ବନ୍ଧିତ ଖବର