୧୮ ସଂସଦୀୟ କମିଟିରେ ସ୍ଥାନ ପାଇଲେ ଓଡ଼ିଆ ସାଂସଦ : ଜୁଏଲ ପ୍ରତିରକ୍ଷା, ଭର୍ତୃହରି ଶ୍ରମ ଓ ନିୟୋଜନ କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ : ୨୩ଟି ବିଭିନ୍ନ ସଂସଦୀୟ କମିଟିରୁ ୧୮ଟିରେ ଓଡ଼ିଶାର ସାଂସଦମାନେ ସ୍ଥାନ ପାଇଛନ୍ତି। ସୁନ୍ଦରଗଡ଼ର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଭାବେ ଓ କଟକର ବିଜେଡି ସାଂସଦ ଭର୍ତୃହରି ମହତାବ ଶ୍ରମ ଓ ନିୟୋଜନ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଜୁଏଲଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା କମିଟିରେ ସମ୍ବଲପୁରର ବିଜେପି ସାଂସଦ ନୀତୀଶ ଗଙ୍ଗଦେବ ଓ ଜଗତସିଂହପୁରର ବିଜେଡି ସାଂସଦ ଡ. ରାଜଶ୍ରୀ ମଲ୍ଲିକ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ସେହିପରି ଜୟନ୍ତ ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଅର୍ଥ କମିଟିରେ ବିଜେଡିର ପୁରୀ ସାଂସଦ ପିନାକୀ ମିଶ୍ର ଓ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ଆନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ ବ୍ୟାପାର କମିଟିରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ସଦସ୍ୟ ରୂପେ ସ୍ଥାନ ପାଇଥିବାବେଳେ ପିପି ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ବୈଦେଶିକ ବ୍ୟାପାର କମିଟିରେ ସଦସ୍ୟ ରୂପେ କନ୍ଧମାଳର ସାଂସଦ ଅଚ୍ୟୁତ ସାମନ୍ତ ସ୍ଥାନ ପାଇଛନ୍ତି। ବି ବିଜୟଶାହୀ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ ବାଣିଜ୍ୟ କମିଟିରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ସଦସ୍ୟ ରୂପେ ସ୍ଥାନ ପାଇଥିବା ବେଳେ ଜୟରାମ ରମେଶଙ୍କ ଅଧ୍ୟକ୍ଷତାରେ ଗଠିତ ବିଜ୍ଞାନ ପ୍ରଯୁକ୍ତି ଓ ଜଙ୍ଗଲ ପରିବେଶ କମିଟିରେ ଢେଙ୍କାନାଳର ସାଂସଦ ମହେଶ ସାହୁ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି।

ଏହା ବ୍ୟତୀତ ଡ. ସତ୍ୟନାରାୟଣ ଜଟିଆଙ୍କ ଅଧ୍ୟକ୍ଷତାରେ ଗଠିତ ମାନବ ସମ୍ବଳ ବିକାଶ କମିଟିରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି। ଟି ଜି ଭେଙ୍କ‌ଟେଶ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ପରିବହନ ଓ ପର୍ଯ୍ୟଟନ ଏବଂ ସଂସ୍କୃତି କମିଟିରେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି। ଏହି କମିଟିରେ ରାଜ୍ୟସଭାର ମନୋନୀତ ସଦସ୍ୟା ସୋନାଲ ମାନସିଂହ ମଧ୍ୟ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ସାଧାରଣ ଅଭିଯୋଗ, ଆଇନ ଓ ନ୍ୟାୟ କମିଟିରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ସୁଦୀପ ବନ୍ଦୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟିରେ ଆସିକା ସାଂସଦ ପ୍ରମିଳା ବିଶୋୟୀ ଓ କୋରାପୁଟ୍ ସାଂସଦ ସପ୍ତଗିରି ଉଲ୍ଲାକା ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି। ରମେଶ ବିଦୁଡ଼ିଙ୍କ ଅଧ୍ୟକ୍ଷତାରେ ଗଠିତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ କମିଟିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ରାଧାମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ରେଲୱେ କମିଟିରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି। ଜଗଦମ୍ବିକା ପାଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ସହରାଞ୍ଚଳ ବିକାଶ କମିଟିରେ ଭୁବନେଶ୍ବରର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଦସ୍ୟ ରୂପେ ମନୋନୀତି ହୋଇଛନ୍ତି। ଡ. ସଞ୍ଜୟ ଜୟସ୍ବାଲଙ୍କ ଅଧ୍ୟକ୍ଷତାରେ ଗଠିତ ଜଳସମ୍ପଦ କମିଟିରେ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ବାଇଁ ସ୍ଥାନ ପାଇଛନ୍ତି। କାନିମୋଝିଙ୍କ ଅଧ୍ୟକ୍ଷତାରେ ଗଠିତ ସାର ଓ ରସାୟନ କମିଟିରେ ମୟୂରଭଞ୍ଜ ସାଂସଦ ଇ. ବିଶ୍ବେଶ୍ବର ଟୁଡ଼ୁ ଓ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ବାଳ ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି। ରାକେଶ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କୋଇଲା ଓ ଇସ୍ପାତ କମିଟିରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଓ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି। ସେହିଭଳି ରମାଦେବୀଙ୍କ ଅଧ୍ୟକ୍ଷତାରେ ଗଠିତ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ କମିଟିରେ ସଦସ୍ୟ ରୂପେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି। ଗଠନ କରାଯାଇଥିବା ଉଦ୍ୟୋଗ କମିଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟି, ସୂଚନା ପ୍ରଯୁକ୍ତି କମିଟି, ଏନର୍ଜି କମିଟି, ଗ୍ରାମ୍ୟ ଉନ୍ନୟନ କମିଟିରେ ଓଡ଼ିଶାର କୌଣସି ସାଂସଦ ସ୍ଥାନ ପାଇନାହାନ୍ତି।

ସମ୍ବନ୍ଧିତ ଖବର