କେନ୍ଦ୍ରକୁ ଓମାର୍‌ଙ୍କ ଚେତାବନୀ: ପୃଥକ୍‌ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା ଆଣିବୁ

0

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଜି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି ଭାରତ ବିରୋଧୀ ବୟାନ ଦେବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅଦୁଲ୍ଲା କହିଛନ୍ତି ଯେ କେନ୍ଦ୍ର ସରକାର ଧାରା ‘୩୫-ଏ’କୁ ଉଚ୍ଛେଦ କଲେ ଆମେ ଜମ୍ମୁ କଶ୍ମୀରରେ ପୃଥକ୍‌ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା ଆଣିବୁ। ଜମ୍ମୁ କଶ୍ମୀର ସର୍ତ୍ତ ଭିତ୍ତିରେ ଭାରତର ଅଂଶ ପାଲଟିଥିବାରୁ ଏ ବାବଦ ସମସ୍ତ ସର୍ତ୍ତକୁ ଯଥୋଚିତ ସମ୍ମାନ ଦେଇ ସୁରକ୍ଷିତ ରଖାଯିବା ଆବଶ୍ୟକ । ଅନ୍ୟଥା ରାଜ୍ୟରେ ପୂର୍ବରୁ ରହିଥିବା ‘ସଦର-ଏ-ସିୟାସତ୍‌’ ଏବଂ ‘ବଜିର୍‌-ଏ-ଆଜମ୍‌’ ବ୍ୟବସ୍ଥା ପୁନଃ ପ୍ରଚଳନ କରିବୁ ବୋଲି ଓମାର ଚେତାବନୀ ଦେଇଛନ୍ତି। ଦୁଇଦିନ ତଳେ ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଭାରତ ବିରୋଧୀ ବୟାନ ଦେଇ କହିଥିଲେ ଯେ ଜମ୍ମୁ କଶ୍ମୀରରେ ଧାରା ୩୫-ଏ ଉଚ୍ଛେଦ କରାଗଲେ ଭାରତ ସହିତ ଏହି ରାଜ୍ୟର ସଂପର୍କ ଛିନ୍ନ ହେବ। କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ ସେ କହିଥିଲେ ଯେ ଯଦି ଏଭଳି ପରିସ୍ଥିତି ହୁଏ, ତା’ହେଲେ ଭାରତ କେବେ ଦେଖିନଥିବା ପରିସ୍ଥିତିର ସମ୍ମୁଖୀନ ହେବ। ଜମ୍ମୁ କଶ୍ମୀରର ଲୋକେ ତିରଙ୍ଗାଙ୍କୁ ଛାଡ଼ି ଅନ୍ୟ ପତାକା ଉଠାଇବେ ବୋଲି ମେହବୁବାଙ୍କ ଧମକକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜି ଓମାର ଅବୁଦଲ୍ଲାଙ୍କ ଭାରତ ବିରୋଧୀ ବୟାନକୁ ନେଇ ସରଗରମ ଚର୍ଚ୍ଚା ସୃଷ୍ଟି ହୋଇଛି। ଓମାର କହିଛନ୍ତି ଯେ ଆମେ ବିନା ସର୍ତ୍ତରେ ଭାରତରେ ସାମିଲ ହୋଇନଥିଲୁ। ତେଣୁ କୌଣସି ସର୍ତ୍ତ ସହିତ ସାଲିସ୍‌ କରାଗଲେ ଏହାକୁ ସାମାନ୍ୟତମ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।

ଏଭଳି କହିବାକୁ ସାହସ ଦେଲା କିଏ: ମୋଦୀ
ଜମ୍ମୁ କଶ୍ମୀରରେ ପୃଥକ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା ଆଣିବାକୁ ଏନ୍‌ସି ନେତା ଓମାର ଅବଦୁଲ୍ଲାଙ୍କ ବୟାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଂଗ୍ରେସ ନିଜର ସହଯୋଗୀ ଦଳର ଏଭଳି ବୟାନ ପାଇଁ ଜବାବ ରଖିବାକୁ ବାଧ୍ୟ ବୋଲି ମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓମାର୍‌ ଅବଦୁଲ୍ଲାଙ୍କ ଦଳ ୧୯୫୩ର ସ୍ଥିତିକୁ ଫେରିଯିବାକୁ ଚାହୁଛି। ୧୯୫୩ରେ ଜମ୍ମୁ କଶ୍ମୀରରେ ଯେଭଳି ପୃଥକ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା ଥିଲା ସେହି ବ୍ୟବସ୍ଥା ଆଣିବାକୁ ଏହି ଦଳ ଏବେ ଯେଉଁ ବୟାନ ଦେଉଛି, ସେଥିପାଇଁ କେଉଁଠୁ ସାହସ ଜୁଟାଇଲା ବୋଲି ମୋଦୀ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି। ମୋଦୀଙ୍କ ସମାଲୋଚନାର ଜବାବରେ ଓମାର କହିଛନ୍ତି ଯେ ମୋର ମତକୁ ସାବ୍ୟସ୍ତ କରିବାକୁ କଂଗ୍ରେସ କିମ୍ବା ଅନ୍ୟ ଦଳର ସହାୟତା ମୁଁ ଲୋଡ଼ୁନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.