ସିଙ୍ଗାପୁର ‘ଜାତୀୟ ରାସ୍ନା ଉଦ୍ୟାନ’ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ’ରେ ରାସ୍ନାଫୁଲ

ସିଙ୍ଗାପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଙ୍ଗାପୁରସ୍ଥିତ ‘ଜାତୀୟ ରାସ୍ନା ଉଦ୍ୟାନ’ ଦଶର୍ନର ସ୍ମାରକୀ ସ୍ୱରୂପ ତାଙ୍କ ନାମାନୁସାରେ ଏକ ଜାତୀୟ ରାସ୍ନାଫୁଲକୁ ନାମିତ କରାଯାଇଛି।

ତିନି ଦିନିଆ ଗସ୍ତରେ ଯାଇ ମୋଦି ସେଠାରେ ପହଞ୍ଚିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଟୁଇଟ୍‌ କରିଛନ୍ତି: ସିଙ୍ଗାପୁର ଅନ୍ତର୍ଗତ ଜାତୀୟ ରାସ୍ନା ଉଦ୍ୟାନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମାନୁସାରେ ଗୋଟିଏ ରାସ୍ନାର ନାମ କରଣ କରାଯାଇଛି- ‘ଡେଣ୍ଡ୍ରୋବ୍ରିୟମ୍‌ ନରେନ୍ଦ୍ର ମୋଦି’।

ସେ କହିଛନ୍ତି: ଏଇ ଟାଣୁଆ ଓ ହୃଷ୍ଟପୁଷ୍ଟ କ୍ରାନ୍ତୀୟ ରାସ୍ନାରୁ ୧୪ରୁ ୨୦ଟି ଫୁଲ ସୁସଜ୍ଜିତ ଥାଇ ୨୩ ସେଣ୍ଟିମିଟର୍‌ ଲମ୍ବବିଶିଷ୍ଟ ଶରଟିଏ ଉଠେ।

ଭିନ୍ନ ଓ ସୁନ୍ଦର ଭାବେ ମୋଡ଼ି ହୋଇ ରହିଥିବା ଏହି ରାସ୍ନାର ରଙ୍ଗ ନାଲ୍‌-ବାଦାମୀ ହୋଇଥିବା ବେଳେ କଢ଼ ଭିତର ପଟର ଆବରଣ ଲୋହିତ-ବାଦାମିଆ। ପୁଣି ଧାରରେ ଟାଣି ହୋଇଥାଏ ସୂକ୍ଷ୍ମ ଗାର। ତା’ସଙ୍ଗକୁ ସୁନ୍ଦର ଭାବେ ସଜାଇ ହୋଇ ରହିଥାଏ ଫୁଲ ମନୋହାରୀ ଘନ ଜାମୁଆ ରଙ୍ଗର ଓଠ।

ଏହା ପରେ ପ୍ରଧାନମନ୍ତ୍ରୀ ସିଙ୍ଗାପୁରସ୍ଥିତ ସର୍ବପୁରାତନ ହିନ୍ଦୁ ମନ୍ଦିର ଶ୍ରୀ ମରିଆମ୍ମାନ୍‌ ଯାଇ ପ୍ରାର୍ଥନା କରିଥିଲେ।
କୁମାର ଆହୁରି କହିଛନ୍ତି: ଆମର ବଳିଷ୍ଠ ସାଂସ୍କୃତିକ ସଂଯୋଗକୁ ଆହୁରି ଶକ୍ତିଶାଳୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିଆମ୍ମାନ ମନ୍ଦିର ଦର୍ଶନ କରିଛନ୍ତି।

୧୮୨୭ରେ ନିର୍ମିତ ଏହି ମନ୍ଦିରରେ ଦକ୍ଷିଣ ଭାରତର ନାଗପଟନମ୍‌ ଏବଂ କୁଡ୍ଡାଲୋର୍‌ ଜିଲ୍ଲାରୁ ସେଠାରେ ବସବାସ କରୁଥିବା ଲୋକେ ପୂଜାର୍ଚ୍ଚନା କରିନ୍ତି। ଚୀନାଟାଉନ୍‌ର ମଧ୍ୟଭାଗରେ ଅବସ୍ଥିତ ଏହି ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମରିଆମ୍ମାନ୍‌ ମହାମାରି ଆଦି ରୋଗବୈରାଗ ଦୂର କରନ୍ତି ବୋଲି ଲୋକବିଶ୍ୱାସ ଚଳେ।

ସମ୍ବନ୍ଧିତ ଖବର