ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ: ବେଆଇନ ଭାବେ ରହୁଥିବା ବିଦେଶୀଙ୍କୁ ଠାବ କର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବେଆଇନ ଭାବେ ରହୁଥିବା ବିଦେଶୀମାନଙ୍କୁ ତୁରନ୍ତ ଚିହ୍ନଟ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ରାଜ୍ୟର ସୀମା ଦେଇ ପଶିଆସୁଥିବା ଅନୁପ୍ରବେଶକାରୀ ବିଦେଶୀଙ୍କୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ସେ କହିଛନ୍ତି।
ଯୋଗୀଙ୍କ କହିବା କଥା, ଏକ ସର୍ବେକ୍ଷଣ ମାଧ୍ୟମରେ ବେଆଇନ ଭାବେ ରାଜ୍ୟ ବ୍ୟାପୀ ରହି ଆସୁଥିବା ବିଦେଶୀମାନଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ ସହ ସେମାନଙ୍କୁ ତୁରନ୍ତ ବିଦା କରିବା ଜରୁରୀ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ବେଳେ ସେ ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟକୁ ଦୁର୍ନୀତିମୁକ୍ତ ଏବଂ ଅପରାଧବିହୀନ କରିବା ଲକ୍ଷ୍ୟରେ ସେ କହିଛନ୍ତି ଯେ ଏଠାରେ ଅପରାଧୀଙ୍କର କୌଣସି ସ୍ଥାନ ନାହିଁ ଏବଂ ସେମାନଙ୍କୁ ତୁରନ୍ତ ବିଦା କରିବାକୁ ପଡ଼ିବ। ସେହିପରି ରାଜ୍ୟର ବିଭିନ୍ନ ଥାନା ଦାୟିତ୍ୱରେ ଥିବା ଅପାରଗ ତଥା ସମ୍ବେଦନହୀନ ପୁଲିସ ଅଧିକାରୀମାନଙ୍କୁ ମଧ୍ୟ ଚିହ୍ନଟ କରି ସେମାନଙ୍କୁ ସେବାରୁ ନିବୃତ୍ତ ରହିବା ପାଇଁ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦୀପାବଳି ଏବଂ ଛଠ ପୂଜା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ସଂପୃକ୍ତ ପୁଲିସ ଅଧିକାରୀ ଦାୟୀ ରହିବେ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର