ଧାରା ୩୭୭ ଶୁଣାଣି ଶେଷ:ସମଲିଙ୍ଗୀ ସଂପର୍କ ଗ୍ରହଣ କରିବାକୁ ହେବ

ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସମଲିଙ୍ଗୀ ଯୌନ ସଂପର୍କକୁ ଅପରାଧ ଭାବେ ଗ୍ରହଣ କରୁଥିବା ଆଇପିସିର ଧାରା ୩୭୭ ନେଇ ସୁପ୍ରିମ୍‌ କୋର୍ଟରେ ଆଜି ଶୁଣାଣି ଶେଷ ହୋଇଛି ଏବଂ କୋର୍ଟ ଏ ବାବଦ ରାୟ ସଂରକ୍ଷିତ ରଖିଛନ୍ତି। କୋର୍ଟ ଏହି ଧାରା ଉପରେ କଡ଼ା ମନ୍ତବ୍ୟ ଦେଇ କହିଛନ୍ତି ଯେ ଏହି ଧାରାକୁ ସମାପ୍ତ କରିଦେବା ଆବଶ୍ୟକ ଏବଂ ସମଲିଙ୍ଗୀ ସଂପର୍କକୁ ସମାଜ ଗ୍ରହଣ କରିବା ଉଚିତ। ଏହି ଧାରା ଦ୍ୱାରା ସମଲିଙ୍ଗୀଙ୍କ ସହିତ ସାମାଜିକ କଳଙ୍କ ଯୋଡ଼ି ହୋଇଯାଉଛି ଏବଂ ସମାଜରେ ଭେଦଭାବ ବଢ଼ିବାରେ ଲାଗିଛି ।
ଆଇପିସିର ପ୍ରାୟ ୧୫୮ ବର୍ଷ ପୁରୁଣା ଏହି ଧାରାକୁ ଉଚ୍ଛେଦ କରିବା ପାଇଁ ହୋଇଥିବା ଆବେଦନ ଉପରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସମ୍ବିଧାନ ପୀଠ ଆଜି ଶୁଣାଣି ସଂପୂର୍ଣ୍ଣ କରିଛନ୍ତି। ଖଣ୍ଡପୀଠର ଅନ୍ୟତମ ବରିଷ୍ଠ ବିଚାରପତି ଡି.ଓ୍ଵାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସମଲିଙ୍ଗୀ ସଂପର୍କକୁ ଗ୍ରହଣ କଲେ ହିଁ ଏ ବାବଦ ସାମାଜିକ କଳଙ୍କ ଏବଂ ସମଲିଙ୍ଗୀ ସଂପର୍କଜନିତ ସମସ୍ୟା ଦୂର ହୋଇପାରିବ। ସମଲିଙ୍ଗୀଙ୍କୁ ଦବାଇବାକୁ ଚେଷ୍ଟା କଲେ ଏବଂ ଚିକିତ୍ସା ସୁବିଧାରୁ ବଞ୍ଚିତ କରାଗଲେ ଯୌନ ରୋଗ ବୃଦ୍ଧି ପାଇବା ଆଶଙ୍କା ଅଧିକ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର