ବିଦେଶୀଙ୍କୁ ଅଧିକ ଦରରେ ବିକ୍ରି ହେଉଛି ଭାରତୀୟଙ୍କ ହାର୍ଟ, ଲଙ୍ଗସ୍‌: ଅଙ୍ଗ ନ ପାଇ ମରୁଛନ୍ତି ଭାରତୀୟ

ଚେନ୍ନାଇ:ବିଦେଶୀ ରୋଗୀମାନଙ୍କୁ କିପରି ଭାରତରେ ହାର୍ଟ ଓ ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅଧିକ ସୁଯୋଗ ମିଳିବ ସେଥିପାଇଁ ତାମିଲନାଡ଼ୁର ଏକ ର‍୍ୟାକେଟ୍‌ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏପରିକି ଏହି ଘଟଣା ନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତାମଲନାଡ଼ୁର କେତେକ କର୍ପୋରେଟ୍‌ ହସପିଟାଲରେ ମାନବ ଅଙ୍ଗ ପ୍ରତିରୋପଣ ବ୍ୟବସ୍ଥା ଓ ସୁବିଧା ସୁଯୋଗ ରହିଛି। ଏଥିପାଇଁ ବ୍ରେନ୍‌ ଡେଡ୍‌ ରୋଗୀମାନଙ୍କଠାରୁ ଆବଶ୍ୟକ ସ୍ଥଳେ ହାର୍ଟ, ଲଙ୍ଗସ,ଲିଭର, କିଡନି ପ୍ରଭୃତି ନେଇ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥାଏ। ନିୟମ ଅନୁଯାୟୀ, ଏହି ବ୍ରେନ ଡେଡ୍‌ ରୋଗୀଙ୍କଠାରୁ ସଂଗୃହିତ ଅଙ୍ଗଗୁଡ଼ିକ ପ୍ରଥମେ ଭାରତୀୟ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯିବ। ମାତ୍ର ଭାରତୀୟ ରୋଗୀ ଯଦି ତତ୍‌କାଳ ନ ମିଳନ୍ତି, ତେବେ ପ୍ରବାସୀ ଭାରାତୀୟଙ୍କୁ ଏହି ସୁଯୋଗ ମିଳିବ। ତେବେ ଯଦି ଭାରତୀୟ ଅଥବା ପ୍ରବାସୀ ଭାରତୀୟ ରୋଗୀ ନ ମିଳନ୍ତି, ତେବେ ଅନ୍ୟ ବିଦେଶୀଙ୍କୁ ଏହି ସୁଯୋଗ ଦେବାର ବ୍ୟବସ୍ଥା ରହିଛି। ମାତ୍ର ତାମିଲନାଡ଼ୁରେ ଗତ ୨୦୧୭ ମସିହାରେ ଯେତିକି ହୃତପିଣ୍ଡ ପ୍ରତିରୋପଣ ହୋଇଛିି ସେଥିମଧ୍ୟରୁ ୨୫ ପ୍ରତିଶତ ବିଦେଶୀ ଥିବା ବେଳେ ଫୁସଫୁସ ପ୍ରତିରୋପଣ କ୍ଷେତ୍ରରେ ୩୦ ପ୍ରତିଶତ ବିଦେଶୀ ଏହି ସୁଯୋଗ ପାଇଛନ୍ତି। ଏହା କିପରି ହେଲା, ସେ ନେଇ ସନ୍ଦେହ କୁହୁଳି ଥିବା ବେଳେ ଚଳିତ ମାସ ବ୍ରେନ ଡେଡ୍‌ ରୋଗୀଙ୍କଠାରୁ ସଂଗ୍ରହ ହୋଇଥିବା ୩ ଟି ହୃତପିଣ୍ଡକୁ ୩ଜଣ ବିଦେଶୀ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଥିିବା ଜଣାପଡ଼ିବା ପରେ ଏହା ପଛରେ ଯେ ଏକ ର‍୍ୟାକେଟ କାର୍ଯ୍ୟ କରୁଛି ଏ ନେଇ ସନ୍ଦେହ ସୃଷ୍ଟି ହୋଇଛି।


ଏ ସମ୍ପର୍କରେ ଜଣାପଡ଼ିବା ପରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଥିବା ନ୍ୟାସନାଲ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନର ନିର୍ଦ୍ଦେଶକ ପ୍ରଫେସର ଡ. ବିମଲ ଭଣ୍ଡାରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀ ଭଣ୍ଡାରୀ ଅଙ୍ଗ ପ୍ରତିରୋପଣ କରୁଥିବା ଡାକ୍ତର ଓ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଗଠିତ ହ୍ଵାଟ୍ସ ଆପ୍‌ ଗ୍ରୁପରେ ଲେଖିଛନ୍ତି ଯେ, ଏହା ଅଶ୍ଚର୍ଯ୍ୟଜନକ ଘଟଣା ଯେ ଭାରତୀୟମାନଙ୍କ ଅଙ୍ଗ ଭାରତୀୟ ଲୋକଙ୍କ ସହିତ ମ୍ୟାଚ କରୁ ନାହିଁ, ବରଂ ବିଦେଶୀମାନଙ୍କ କ୍ଷେତ୍ରରେ ଏହା ବେଶ୍‌ ମ୍ୟାଚ୍‌ କରୁଛି। ବିଦ୍ରୁପ କରି ପ୍ରଫେସର ଭଣ୍ଡାରୀ ଲେଖିଛନ୍ତି ଯେ ବୋଧ ହୁଏ ଭାରତୀୟ ଟଙ୍କା ବିଦେଶୀମାନଙ୍କ ଟଙ୍କା ସହିତ ମ୍ୟାଚ୍‌ କରୁ ନ ଥିବାରୁ ଭାରତୀୟ ରୋଗୀମାନେ ଅଙ୍ଗ ପ୍ରତିରୋପଣରୁ ବଞ୍ଚିିତ ହୋଇଛନ୍ତି। ପ୍ରଫେସର ଭଣ୍ଡାରୀ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏତେ ଲୋଭାସକ୍ତ ହୋଇଯାଇଛନ୍ତି ଯେ ଟଙ୍କା ପାଇଁ ଅଙ୍ଗ ପ୍ରତିରୋପଣ ପାଇଁ ଅପେକ୍ଷା କରିଥିବା ରୋଗୀମାନଙ୍କ େଓ୍ଵଟିଂ ଲିଷ୍ଟ ତାଲିକାକୁ ଏପଟସେପଟ କରି ଗରିବ ଭାରତୀୟମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି।

ତେବେ ଏହି ଘଟଣା ଜଣାପଡ଼ିବା ପରେ ତାମିଲନାଡ଼ୁର ବିଭିନ୍ନ କର୍ପୋରେଟ୍‌ ହସ୍‌ପିଟାଲରେ ହଡ଼କମ୍ପ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର