ଆର୍ମି ଟ୍ରେନିଙ୍ଗ୍‌ ଏକାଡେମି ବକ୍‌ସିଙ୍ଗ୍‌ ମ୍ୟାଚ୍‌ରେ କ୍ୟାଡେଟ୍‌ଙ୍କ ମୃତ୍ୟୁ

ଚେନ୍ନାଇ: ଚେନ୍ନାଇସ୍ଥିତ ଅଫିସର୍ସ ଟ୍ରେନିଙ୍ଗ୍‌ ଏକାଡେମିରେ ବକ୍‌ସିଙ୍ଗ୍‌ରେ ଖେଳି ମସ୍ତିଷ୍କରେ ଆଘାତ ପାଇଥିବା ଜଣେ କ୍ୟାଡେଟ୍‌ଙ୍କ ମୃତ୍ୟୁ ହୋଇଯାଇଛି। ମୃତୁ କ୍ୟାଡେଟ୍‌ଙ୍କ ନାମ ରୋନି ସ୍କାରିଆ ଏବଂ ତାଙ୍କ ଘର କେରଳ। ଇଡୁକ୍କି ଜିଲ୍ଲାସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ୍‌ରେ ତାଙ୍କର ବାପା ଏମ୍‌ ଏମ୍‌ ସ୍କାରିଆ କାମ କରନ୍ତି।

ବକ୍‌ସିଙ୍ଗ୍‌ ପ୍ରତିଯୋଗିତାରେ ଭାଗ ନେଇଥିବା ରୋନିଙ୍କ ମସ୍ତିଷ୍କରେ ଆଘାତ ଲାଗିବାରୁ ତୁରନ୍ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ଗୋଟାଏ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଥିଲା।

କିନ୍ତୁ, ତାଙ୍କର ଆଉ ଚେତା ଫେରି ନ ଥିଲା। ଗତକାଲି ଅପରାହ୍ନ ୪ଟା ୫୫ ମିନିଟ୍‌ରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ବୋଲି ଏକ ବିବୃତିରେ ପ୍ରକାଶିତ ହୋଇଛି।

ସେ ଜଣେ ନିଷ୍ଠାପର, ଉତ୍ସର୍ଗୀକୃତ ଏବଂ ନିର୍ଭିକ ଭଦ୍ରଲୋକ ଥିଲେ ବୋଲି ପ୍ରକାଶିତ ବିବୃତିରେ ତାଙ୍କୁ ପ୍ରଶଂସା କରାଯାଇଛି।

ଏପ୍ରିଲ୍‌ ମାସରେ ସ୍କାରିଆ ଏକାଡେମିରେ ଯୋଗ ଦେଇଥିଲେ। ମାର୍ଚ ୨୦୧୮ରେ ଆର୍ମିର ଜଣେ କମିସନ୍‌ଡ୍‌ ଅଫିସର୍‌ ଭାବେ ସେ ନିଯୁକ୍ତି ପାଇବାକୁ ସ୍ଥିର ହୋଇଥିଲା। ବକ୍‌ସିଙ୍ଗ୍‌ ଖେଳ ସାମରିକ ନେତାମାନଙ୍କର ଅତ୍ୟାବଶ୍ୟକ ଗୁଣ- ଆତ୍ମ ବିଶ୍ୱାସ, ଆକ୍ରମଣାତ୍ମକ ଉଚ୍ଛ୍ୱାସ ଏବଂ ଅଙ୍ଗୀକାରବଦ୍ଧତା ବିକଶିତ କରୁଥିବାରୁ ବିଶ୍ୱପ୍ୟାପୀ ସମସ୍ତ ମିଲିଟାରି ଏକାଡେମୀରେ କ୍ୟାଡେଟ୍‌ମାନଙ୍କୁ ଏହାର ଶିକ୍ଷା ଏବଂ ତାଲିମ୍‌ ଦିଆଯାଏ।

ସମ୍ବନ୍ଧିତ ଖବର