କଂଗ୍ରେସ ଓ ଏହାର ନେତାମାନଙ୍କର ହାତ ମୁସଲମାନଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇପଡ଼ିଛି: ସଲମାନ୍‌ ଖୁର୍ସିଦ୍‌

ଅଲ୍ଲୀଗଡ଼: କଂଗ୍ରେସ ଦଳ ଓ ଏହାର ନେତାମାନଙ୍କର ହାତ ମୁସଲମାନମାନଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇପଡ଼ିଛି ବୋଲି ଆଜି ଏକ ବିବାଦୀୟ ବିବୃତି ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ୍‌ ଖୁର୍ସିଦ୍‌। ବରିଷ୍ଠ କଂଗ୍ରେସ ନେତା ଖୁର୍ସିଦ୍‌ଙ୍କର ଏହି ବିବାଦୀୟ ବୟାନ କଂଗ୍ରେସକୁ ବିବାଦ ମଧ୍ୟକୁ ଠେଲି ଦେଇଥିବା ବେଳେ ଦେଶର ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

ଦେଶର ଅନ୍ୟତମ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ଅଲ୍ଲୀଗଡ଼ ମୁସଲିମ୍‌ ୟନିଭରସିଟିରେ ମଙ୍ଗଳବାର ଦିନ ଛାତ୍ରାଛାତ୍ରୀଙ୍କ ସହ ଭାବ ଆଦାନପ୍ରଦାନ ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ସଲମାନ୍‌ ଖୁର୍ସିଦ୍‌ କହିଥିଲେ ଯେ କଂଗ୍ରେସ ଦଳ ଓ ଏହାର ନେତାମାନଙ୍କର ହାତ ମୁସଲମାନମାନଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇପଡ଼ିଛି।

ଖୁର୍ସିଦ୍‌ଙ୍କର ଏହି ବୟାନ ପରେ ଅମିର ମିନ୍ତୋଇ ନାମକ ଜନୈକ ଛାତ୍ର କହିଥିଲେ ଯେ ଦେଶରେ ସଂଘଟିତ ସବୁ ବଡ଼ ବଡ଼ ସାଂପ୍ରଦାୟିକ ଦଙ୍ଗା କଂଗ୍ରେସ ଶାସନ କ୍ଷମତାରେ ଥିବାବେଳେ ହିଁ ଘଟିଛି। ଯେଉଁଥି ପାଇଁ ଦଳର ବରିଷ୍ଠ ନେତା ଏପରି କହିଛନ୍ତି। କଂଗ୍ରେସ ଦଳର ଜନୈକ ନେତା ଭାବେ ମୁଁ ମଧ୍ୟ ଅନୁଭବ କରୁଛି ଯେ ମୋ ହାତ ବି ମୁସଲମାନମାନଙ୍କ ରକ୍ତରେ ରକ୍ତ ରଞ୍ଜିତ। ୧୯୫୦ ପରେ ଦେଶର ହାସିମ୍‌ପୁରା, ମାଲୟାନା, ମିରଟ, ମୁଜାଫରନଗର, ଭାଗଲପୁର, ମୋରାଦାବାଦ, ଅଲ୍ଲୀଗଡ଼ ଓ ଅଯୋଧ୍ୟାରେ ବାବ୍ରୀ ମସଜିଦ୍‌ ଭଙ୍ଗା ଯିବା ପରେ ସଂଘଟିତ ହୋଇଥିବା ମୁସଲମାନ ବିରୋଧୀ ସାଂପ୍ରଦାୟିକ ଦଙ୍ଗା କଂଗ୍ରେସ ଦଳ ଶାସନ କ୍ଷମତାରେ ଥିବା ସମୟରେ ଘଟିଥିଲା ବୋଲି ମନ୍ତୋଇ କହିଛନ୍ତି।


ଅନ୍ୟପକ୍ଷରେ, କଂଗ୍ରେସ ନେତା ସଲମାନ ଖୁର୍ସିଦ୍‌ଙ୍କର ଏହି ବିବାଦୀୟ ବୟାନ କଂଗ୍ରେସକୁ ବିବାଦ ମଧ୍ୟକୁ ଠେଲି ଦେଇଥିବା ବେଳେ ଖୁର୍ସିଦ୍‌ କହିଛନ୍ତି ଯେ ମୁଁ ଦେଇଥିବା ବୟାନ ବା ବିବୃତି ପାଇଁ ଆଦୌ ବିଚଳିତ ନୁହେଁ, ମୁଁ ଯାହା ବି କହିଛି ତଥ୍ୟ ଆଧାରରେ କହିଛି ଓ ଠିକ୍‌ କହିଛି। କଂଗ୍ରେସ ନେତା ଖୁର୍ସିଦ୍‌ଙ୍କର ଏହି ବୟାନ ପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ କହିଛନ୍ତି ଯେ ବର୍ତ୍ତମାନ କଂଗ୍ରେସ ତା’ର ଏହି ପାପ ପାଇଁ ପ୍ରାୟଶ୍ଚିତ କରିବାର ସମୟ ଆସିଯାଇଛି।

ସମ୍ବନ୍ଧିତ ଖବର