‘କଂଗ୍ରେସ ରାଜନୀତି ଏବେ ଗୋଟିଏ ପରିବାରର ମା’ ଆଉ ପୁଅଙ୍କ ମଧ୍ୟରେ ସୀମିତ ହୋଇ ରହିଯାଇଛି’; ପ୍ରଧାନମନ୍ତ୍ରୀ ମୋଦି

ବିଳାସପୁର (ଛତିଶଗଡ଼): ବିରୋଧୀ କଂଗ୍ରେସକୁ ଆଜି ବେଶ୍‌ କଟୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସ ଦଳ, ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କର ମା’ ସୋନିଆ ଗାନ୍ଧୀଙ୍କ ତୀବ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘କଂଗ୍ରେସ ଦଳର ରାଜନୀତି ଗୋଟିଏ ପରିବାର ମଧ୍ୟରେ ଆରମ୍ଭ ହେବା ସହ ସେଇ ପରିବାର ମଧ୍ୟରେ ହିଁ ଶେଷ ହୋଇ ଯାଉଛି।’ ଏବଂ କଂଗ୍ରେସ ଦଳ ଏବେ ଲୋକଙ୍କ ଠାରୁ ସଂପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇପଡ଼ିଛି।

ଆସନ୍ତା ନଭେମ୍ବର ୨୦ ତାରିଖରେ ଛତିଶଗଡ଼ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଳାସପୁର ଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ର‍୍ୟାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କଂଗ୍ରେସ କ୍ଷମତାରେ ଥିବା ବେଳେ ରାଜ୍ୟର କୌଣସି ପ୍ରକାରର ବିକାଶ ସାଧିତ ହୋଇ ନଥିଲା। ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ଦ୍ରୁତ ବିକାଶ ପାଇଁସବୁ ସ୍ତରରୁ ଉଦ୍ୟମ ଆରମ୍ଭ କରିଛି। କଂଗ୍ରେସ ରାଜନୀତି ଗୋଟିଏ ପରିବାର ମଧ୍ୟରେ ମା’ ଆଉ ପୁଅଙ୍କ ମଧ୍ୟରେ ସୀମିତ ହୋଇ ରହିଯାଇଛି। କଂଗ୍ରେସ ଗରିବ ଲୋକଙ୍କ ଉନ୍ନତି ଚାହୁଁନାହିଁ। କଂଗ୍ରେସ ଚାହୁଁଛି ଗରିବମାନେ ସବୁଦିନ ପାଇଁ ଗରିବ ହୋଇ ରହିଥାଆନ୍ତୁ। ଗରିବଙ୍କ ଉନ୍ନତି ପାଇଁ କଂଗ୍ରେସର କୌଣସି ଯୋଜନା ନାହିଁ କି ନେତୃତ୍ୱ ନେବା ପାଇଁ କଂଗ୍ରେସରେ କୌଣସି ନେତା ନାହାନ୍ତି। ତେଣୁ, କେବଳ ସରକାରଙ୍କ ବିମୁଦ୍ରାୟନକୁ ସମାଲୋଚନା କରିବାରେ କଂଗ୍ରେସ ସୀମିତ ହୋଇ ରହିଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସମ୍ବନ୍ଧିତ ଖବର