ଜାଣନ୍ତୁ, ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ ଗୋଗେଇଙ୍କ ଶେଷ କାର୍ଯ୍ୟ ଦିବସର ଶେଷ ୪ ମିନିଟରେ କ’ଣ ସବୁ ଘଟିଥିଲା କୋର୍ଟ ରୁମ୍‌ ନମ୍ବର- ୧ରେ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ପଦରୁ ଆସନ୍ତା ୧୭ ତାରିଖରେ ଅବସର ଗ୍ରହଣ କରିବା ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କର ଆଜି ସୁପ୍ରିମ୍‌ କୋର୍ଟରେ ଥିଲା ଶେଷ କାର୍ଯ୍ୟ ଦିବସ। ସବୁଦିନ ପରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ ତାଙ୍କର ସୁପ୍ରିମ୍‌ କୋର୍ଟରେ ଥିବା ତାଙ୍କର ୧ ନମ୍ବର କୋର୍ଟ ରୁମ୍‌ରେ ଯଥାରୀତି କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ, ଅପରାହ୍ଣରେ ନିଜ କୋର୍ଟରୁମ୍‌ରୁ ବାହାରିବାର ୪ ମିନିଟ ପୂର୍ବରୁ ୧ ନମ୍ବର କୋର୍ଟ ରୁମ୍‌ରେ ଘଟିଥିଲା ଅନେକ ଘଟଣା।

ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ମାତ୍ର ୪ ମିନିଟ ପାଇଁ ତାଙ୍କର ଉତ୍ତରାଧିକାରୀ ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଦେଙ୍କ ସହ ଏକ ଖଣ୍ଡପୀଠରେ ବସିଥିଲେ। ସୁପ୍ରିମ୍‌ କୋର୍ଟର ସମସ୍ତ ବରିଷ୍ଠ ବିଚାରପତି ଯୁଗାନ୍ତକାରୀ ଅଯୋଧ୍ୟା ରାୟ ପାଇଁ ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇଙ୍କୁ ଅଭିନନ୍ଦନ ଜଣାଇଥିଲେ। ବିଦାୟୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଗୋଗେଇଙ୍କ କାର୍ଯ୍ୟଧାରା ଓ ଏକାଧିକ ରାୟର ଭୂୟସୀ ପ୍ରଶଂସା କରିଥିଲେ, ତାଙ୍କର ଉତ୍ତରାଧିକାରୀ ତଥା ପରବର୍ତ୍ତୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଦେ। ଏହି ସମୟରେ ସୁପ୍ରିମ୍‌ କୋର୍ଟ ବାର ଆସୋସିଏସନ୍‌ ପକ୍ଷରୁ ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇଙ୍କୁ କୃତଜ୍ଞତା ଜଣା ଯାଇଥିଲା।

News India

ଏହାପରେ ଦେଶର ବିଭିନ୍ନ ରାଜ୍ୟର ହାଇକୋର୍ଟମାନଙ୍କରେ ନିଯୁକ୍ତ ୬୫୦ ବିଚାରପତି ଓ ୧୫,୦୦୦ରୁ ଉର୍ଦ୍ଧ୍ବ ନ୍ୟାୟିକ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବାର୍ତ୍ତାଳାପ କରିଥିଲେ ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ । ତେବେ, ଆଜିର ଶେଷ କାର୍ଯ୍ୟ ଦିବସ ପରେ ଏକାଧିକ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇଙ୍କ ସ୍ବତନ୍ତ୍ର ସାକ୍ଷାତକାର ନେବାକୁ ବହୁ ଅନୁରୋଧ କରିଥିଲେ ମଧ୍ୟ ସେ ସମସ୍ତଙ୍କର ଅନୁରୋଧକୁ ପ୍ରତ୍ୟାଖାନ କରି ଦେଇଥିଲେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦେଶର ୪୬ ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ରଂଜନ ଗୋଗେଇ ତାଙ୍କର ପୂର୍ବସୂରୀ ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଠାରୁ ଗତ ୨୦୧୮ ଅକ୍ଟୋବର ୩ ତାରଖରେ ପଦଭାର ଗ୍ରହଣ କରିଥିଲେ। ଦେଶର ଉତ୍ତରପୂର୍ବାଞ୍ଚଳରୁ ଦେଶର ପ୍ରଧାନ ବିଚାରପତି ହେବାରେ ଜଷ୍ଟିସ୍‌ ରଂଜନ ଗୋଗେଇ ଥିଲେ ସର୍ବ ପ୍ରଥମ ବିଚାରପତି।

ସମ୍ବନ୍ଧିତ ଖବର