୫ ଲକ୍ଷ ଭାରତୀୟ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ବ୍ୟକ୍ତଗତ ଡାଟା ଲିକ୍‌ ହୋଇଛି: ଫେସ୍‌ବୁକ୍‌

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ବ୍ୟବହାରକାରୀ ୨୫କୋଟି ଭାରତୀୟଙ୍କ ମଧ୍ୟରୁ ୦.୨୨ ପ୍ରତିଶତ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଡାଟା ଲିକ୍‌ ହୋଇ ଯାଇଥିବା ଭାରତ ସରକାରଙ୍କ ନିକଟରେ ସ୍ୱୀକାର କରିଛନ୍ତି ଫେସ୍‌ବୁକ୍‌ କର୍ତ୍ତୃପକ୍ଷ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଫେସ୍‌ବୁକ୍‌ ଓ କେମ୍ରିଜ୍‌ ଆନାଲିଟିକା ପକ୍ଷରୁ ଭାରତୀୟମାନଙ୍କର ବ୍ୟକ୍ତଗତ ଡାଟାର ଉଲ୍ଲଂଘନ ଓ ଲିକ୍‌ ହୋଇଥିବା ନେଇ ତମାମ୍‌ ଦେଶରେ ବ୍ୟାପକ ହୋହାଲ୍ଲା ହେବାପରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଉଭୟ ଫେସ୍‌ବୁକ୍‌ ଓ କେମ୍ରିଜ୍‌ ଆନାଲିଟିକା କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରା ଯାଇଥିଲା। ଖାଲି, ଏତିକି ନୁହେଁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ ଏହି ମାମଲାରେ ଯଦି ଆବଶ୍ୟକ ପଡ଼େ ତେବେ ଫେସ୍‌ବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ଭାରତ ସମନ କରାଯିବ। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସମନର ସମ୍ମୁଖୀନ ହେବା ପୂର୍ବରୁ ଫେସ୍‌ବୁକ୍‌ କର୍ତ୍ତୃପକ୍ଷ ଭାରତ ସରକାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଯେ ୫ ଲକ୍ଷ ଭାରତୀୟ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଡାଟା ଲିକ୍‌ ହୋଇଯାଇଛି। କେମ୍ରିଜ୍‌ ଆନାଲିଟିକା କର୍ତ୍ତୃପକ୍ଷ ଗ୍ଲୋବାଲ୍‌ ସାଇନ୍ସ ରିସର୍ଚ୍ଚ ଲିମିଟେଡ୍‌ (ଜିଏସ୍‌ଆର୍‌) ନାମକ ଏକ ସଂସ୍ଥାକୁ ହାତ କରି ତା’ ଜରିଆରେ ଭାରତୀୟ ଫେସ୍‌ବୁକ୍‌ ବ୍ୟବହାରକାରୀମାନଙ୍କ ବ୍ୟକ୍ତଗତ ଡାଟା ଚୋରାଇ ଥିବା ସ୍ୱୀକାର କରିଛି ଫେସ୍‌ବୁକ୍‌। ଭାରତରେ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ (୨୫ କୋଟି) ସଂଖ୍ୟା ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଦୁଇ ନମ୍ବର ସ୍ଥାନରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା (୨୩ କୋଟି)।

ସମ୍ବନ୍ଧିତ ଖବର