ଏୟାରସେଲ-ମାକ୍ସିସ ମାମଲା: ସିବିଆଇ ଚାର୍ଜସିଟରେ ପି.ଚିଦାମ୍ବରମଙ୍କ ନାଁ

ନୂଆଦିଲ୍ଲୀ : ଏୟାରସେଲ-ମାକ୍ସିସ ମାମଲାରେ ସିବିଆଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ଓ ତାଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ ଦାଖଲ କରିଛି । ଦିଲ୍ଲୀର ପାତିଆଲା ହାଉସ କୋର୍ଟରେ ଏହି ଚାର୍ଜସିଟ ଦାଖଲ ହୋଇଛି । ଏହି ଚାର୍ଜସିଟରେ ଏହି ବାପପୁଅଙ୍କ ବ୍ୟତୀତ ୧୬ ଜଣ ସରକାରୀ ଅଧିକାରୀ ( ଉଭୟ କାର୍ଯ୍ୟରତ ଓ ଅବସରପ୍ରାପ୍ତ) ଙ୍କ ନାଁ ରହିଛି । ସ୍ୱତନ୍ତ୍ର ସିବିଆଇ ଜଜ ଓପି ସାଇନିଙ୍କ ନିକଟରେ ଏହି ଚାର୍ଜସିଟ ଦାଏର ହୋଇଛି । ଆସନ୍ତା ୩୧ ତାରିଖରେ ଏହି ମାମଲାର ଶୁଣାଣୀ ଆରମ୍ଭ କରିବେ ଏହି ଜଜ୍‌ । ଗତ ଜୁନ ୧୩ ତାରିଖରେ ସିବିଆଇ ପକ୍ଷରୁ ଦାଏର ୪୫୦୦ ପୃଷ୍ଠା ବିଶିଷ୍ଠ ଏକ ଅଲଗା ଚାର୍ଜସିଟରେ କାର୍ତ୍ତି ଚିଦାମ୍ବରମଙ୍କୁ ଏୟାରସେଲ-ମାକ୍ସିସ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ କରାଯାଇଥିଲା ।

ତେବେ ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଚିଦାମ୍ବରମ କହିଛନ୍ତି ଯେ ଏକ କପୋଳକଳ୍ପିତ ଅଭିଯୋଗକୁ ଭିତ୍ତିକରି ଚାର୍ଜସିଟ ଦାଏର ପାଇଁ ସିବିଆଇ ଉପରେ ଚାପ ପ୍ରୟୋଗ କରାଯାଇଛି । ସେ ଏହାକୁ କୋର୍ଟରେ ଲଢେଇ କରିବେ ।

 

ସିବିଆଇ ପକ୍ଷରୁ କୁହାଯାଇଛି ଯେ ଏୟାରସେଲରେ ହଂକଂର ଗ୍ଲୋବାଲ କମ୍ୟୁନିକେସନ ହୋଲଡିଂ ସର୍ଭିସେସ ପକ୍ଷରୁ କରାଯାଇଥିବା ନିବେଶକୁ ପି.ଚିଦାମ୍ବରମ ଅହେତୁକ ଅନୁଗ୍ରହ ଦେଖାଇଥିଲେ । ଓ ବେଆଇନ ଭାବେ ମଂଜୁରୀ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏୟାର୍ସେଲ୍-ମ୍ୟାକ୍ସିସ୍ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ ସିବିଆଇ ତଦନ୍ତ କରୁଛି। ଏହି ମାମଲାରେ ସମ୍ପୃକ୍ତ ଥିବା ପି ଚିଦାମ୍ବରଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ ଏ ବର୍ଷ ଫେବ୍ରୁଆରି ମାସରେ ଗିରଫ ହୋଇ ଥିଲେ।

ସମ୍ବନ୍ଧିତ ଖବର