ପଦ୍ମାବତୀ ବିବାଦ: ଜୟପୁର ଦୁର୍ଗରୁ ଝୁଲନ୍ତା ଶବ ଉଦ୍ଧାର

ନୂଆଦିଲ୍ଲୀ: ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲିଲା ବଂଶାଲୀଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ଚାଲିଥିବା ବିବାଦ ଆଜି ଭୟଙ୍କର ରୂପ ନେଇଛି। ଫିଲ୍ମକୁ ନେଇ ଜୋର୍‌ଦାର ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଆଜି ଜୟପୁରରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା ଏହି ବିବାଦକୁ ଅଧିକ ଜଟିଳ ରୂପ ଦେଇଛି। ଜୟପୁରର ନହରଗଡ଼ ଦୁର୍ଗର ପ୍ରାଚୀରରୁ ଆଜି ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଉକ୍ତ ବ୍ୟକ୍ତି ଜଣକ ‘ପଦ୍ମାବତୀ’କୁ ବିରୋଧ କରି ଆତ୍ମହତ୍ୟା କରିଥିବା ବିଶ୍ୱାସ କରାଯାଉଛି। ‘ଆମେ କେବଳ ପଦ୍ମାବତୀକୁ ବିରୋଧ କରି କୁଶ ପୁତ୍ତଳିକା ଦାହ କରୁନାହୁଁ, ଆମେ ପଦ୍ମାବତୀ ପାଇଁ ବଳିଦାନ ବି ଦେଇପାରୁ’ ବୋଲି ଏକ ପଥରରେ ଲେଖା ରହିଛି। ଏହି ପଥରଟି ମୃତ ବ୍ୟକ୍ତିଙ୍କ ଶବ ନିକଟରୁ ଉଦ୍ଧାର ହୋଇଛି। ତେବେ ପୁଲିସ ଏହା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ କରିପାରୁ ନାହିଁ। ଏ ନେଇ ତଦନ୍ତ ଜାରି ରହିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସ୍ଥାନୀୟ ଅଂଚଳର ଗହଣା ବେପାରୀ ଚେତନ ସାଇନି। ୪୦ ବର୍ଷୀୟ ଚେତନ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ତଦନ୍ତ ପରେ ହିଁ ଜଣାପଡ଼ିବ। ଅନ୍ୟପକ୍ଷରେ ଚେତନଙ୍କ ଭାଇ ଦାବି କରିଛନ୍ତି ଯେ ତାଙ୍କ ଭାଇ ‘ପଦ୍ମାବତୀ’ ପାଇଁ ଆତ୍ମହତ୍ୟା କରିନାହାନ୍ତି। ତାଙ୍କୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ହତ୍ୟା କରି ଝୁଲାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ‘ପଦ୍ମାବତୀ’ ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ବିକୃତ କରି ଦର୍ଶାଯାଇଥିବା ପ୍ରଚାର ହେବାପରେ ଏହାକୁ ନେଇ ବିରୋଧ ଉଗ୍ର ରୂପ ନେଇଛି। ଆଜି ଶବ ଉଦ୍ଧାର ପରେ ବଲିଉଡ୍‌ରେ ହଇଚଇ ସୃଷ୍ଟି ହୋଇଛି। ପ୍ରସଙ୍ଗକୁ ଅଧିକ ସ୍ପର୍ଶକାତର ନକରି ବାସ୍ତବତା ପ୍ରତି ଧ୍ୟାନ ଦେବାକୁ ହେବ ଏବଂ ସେନ୍‌ସର ବୋର୍ଡର ରାୟକୁ ଗ୍ରହଣ କରିବାକୁ ହେବ ବୋଲି ବହୁ ଅଭିନେତା ଓ ଅଭିନେତ୍ରୀ ମତବ୍ୟକ୍ତ କରିଛନ୍ତି।

ବ୍ରିଟେନ୍‌ରେ ବି ଆନ୍ଦୋଳନ ଧମକ

ବ୍ରିଟିସ ସେନ୍‌ସର ବୋର୍ଡ ଗତକାଲି ବ୍ରିଟେନ୍‌ ଦର୍ଶମାନଙ୍କ ଲାଗି ପଦ୍ମାବତୀ ଫିଲ୍ମକୁ ସ୍ୱୀକୃତି ଦେବାପରେ ଏ ଏହାକୁ ତୀବ୍ର ବିରୋଧ କରିଛନ୍ତି ରାଜପୁତ କରଣୀ ସେନା। ସେନା ମୁଖ୍ୟ ଆଜି କହିଛନ୍ତି ଯେ ବିଦେଶ ମାଟିରେ ବି ଫିଲ୍ମ ରିଲିଜ୍‌ କରାଇଦେବୁନି। ରାଜପୁତ କରଣୀ ସେନା ସଦସ୍ୟମାନେ ବ୍ରିଟେନ୍‌ ଯାଇ ଫିଲ୍ମ ରିଲିଜ୍‌ ବିରୋଧରେ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି। ରାଜପୁତ କରଣୀ ସେନା ମୁଖ୍ୟ ଲୋକେନ୍ଦ୍ର ସିଂହ କଲଭି କହିଛନ୍ତି, ଯଦି ଦରକାର ପଡ଼େ ସେ ବ୍ରିଟେନ ଯାଇ ବିଭିନ୍ନ ହିନ୍ଦୁ ଗୋଷ୍ଠୀ ଏବଂ ପ୍ରବାସୀ ଭାରତୀୟ ଅନୁଷ୍ଠାନଙ୍କ ସହ କଥା ହୋଇ ଫିଲ୍ମର ରିଲିଜ୍‌କୁ ବିରୋଧ କରିବେ। ଅନ୍ୟପକ୍ଷରେ ‘ପଦ୍ମାବତୀ’ର ନିର୍ମାଣକାରୀ ସଂସ୍ଥା ଭାୟକମ୍‌-୧୮ ସୁତ୍ରରୁ ଜଣାଯାଇଛି ଯେ ସିବିଏଫସି ପ୍ରମାଣପତ୍ର ବିନା ବିଶ୍ୱରେ କୌଣସି ବି ସ୍ଥାନରେ ଫିଲ୍ମ ରିଲିଜ୍‌ ହେବାକୁ ଦିଆଯିବନି। ଜଣାଯାଇଛି ଯେ ୫୦ରୁ ଊର୍ଦ୍ଧ୍ୱ ଦେଶରେ ଫିଲ୍ମର ପ୍ରମାଣପତ୍ର ଲାଗି କାର୍ଯ୍ୟ ଆରମ୍ଭ ହୋଇ ସାରିଛି।

ସମ୍ବନ୍ଧିତ ଖବର