ବଢିଲା ପଦ୍ମାବତୀର ଅଡ଼ୁଆ, ରିଲିଜ ବିଳମ୍ବ ପାଇଁ ବୀମା ଅର୍ଥ ମିଳିବନାହିଁ

ମୁମ୍ବାଇ: ସଂଜୟ ଲୀଲା ଭନସାଲୀଙ୍କ ବିବାଦୀୟ ଫିଲ୍ମ ପଦ୍ମାବତୀର ଅଡ଼ୁଆ ବଢିବାରେ ଲାଗିଛି । ବିବାଦ କାରଣରୁ ଫିଲ୍ମଟି ରିଲିଜ ହୋଇପାରୁନଥିବାରୁ ଭଲସାଲୀଙ୍କ ନିଜ ହଜି ଯାଇଥିବାବେଳେ ଏବେ ଆଉ ସମସ୍ୟା ଦେଖାଦେଇଛି । ତାହା ହେଉଛି ବିଳମ୍ବ ରିଲିଜ୍‌ ପାଇଁ କୌଣସି ବୀମା କଭରେଜ୍‌ ଦେବାକୁ ମନା କରିଦେଇଛି ବୀମା କମ୍ପାନି ।

ଫିଲ୍ମକୁ ବିଭିନ୍ନ ହିନ୍ଦୁବାଦୀ ସଂଗଠନମାନଙ୍କ ଦ୍ୱାରା ହିଂସାତ୍ମକ ବିରୋଧ, ବିଭିନ୍ନ ରାଜ୍ୟ ସରକାରଙ୍କ ନିଷେଧାଜ୍ଞା ପରେ ଫିଲ୍ମକୁ ଏପର୍ଯ୍ୟନ୍ତ ସେନସର ବୋର୍ଡ ପ୍ରମାଣ ପତ୍ର ମିଳିପାରି ନାହିଁ । ଏହି କାରଣରୁ ଫିଲ୍ମଟିର ରିଲିଜ ବିଳମ୍ବିତ ହୋଇଚାଲିଛି । କିନ୍ତୁ ଫିଲ୍ମଟିର ବୀମା କରିଥିବା କମ୍ପାନି ନ୍ୟୁ ଇଣ୍ଡିଆ ଅସ୍ୟୋରାନ୍ସ ପକ୍ଷରୁ କୁହାଯାଇଛି ଯେ ଯେପର୍ଯ୍ୟନ୍ତ ସେନସେର ବୋର୍ଡ ପ୍ରମାଣପତ୍ର ମିଳିନାହିଁ, ସେପର୍ଯ୍ୟନ୍ତ ବୀମା କଭରେଜ୍‌ ଆରମ୍ଭ ହେବ ନାହିଁ ।

ଏହି ରାଷ୍ଟ୍ରାୟତ ସାଧାରଣ ବୀମା କମ୍ପାନିର ସିଏମଡି ଜି. ଶ୍ରୀନିବାସନ କହିଛନ୍ତି ଯେ ରିଲିଜ୍‌ ବିଳମ୍ବ ପାଇଁ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ପ୍ରାୟ ୮୦ କୋଟି ଟଙ୍କାର ବୀମା କରାଯାଇଛି । କିନ୍ତୁ ଯେପର୍ଯ୍ୟନ୍ତ ସେନସର ବୋର୍ଡ ପ୍ରମାଣପତ୍ର ମିଳିନାହିଁ , ସେପର୍ଯ୍ୟନ୍ତ ବୀମା କମ୍ପାନିର କଭରେଜ୍‌ ଆରମ୍ଭ ହେବ ନାହିଁ ।

ଫିଲ୍ମର ସେଟ୍‌ ଓ ସଂପତ୍ତି ସୁରକ୍ଷା ଲାଗି ୩ କୋଟି ଟଙ୍କାର ଅଲଗା ବୀମା କରାଯାଇଛି । ତେବେ ପ୍ରାକୃତିକ ଓ ଅନ୍ୟାନ୍ୟ କାରଣ ଯୋଗୁଁ ଫିଲ୍ମର ସେଟ୍‌ ଓ ସଂପତ୍ତି ହାନୀ ହେବା କ୍ଷେତ୍ରରେ ଏହି ବୀମା ଅର୍ଥ ମିଳିବ । କିନ୍ତୁ ରିଲିଜ ବିଳମ୍ବ ଜନତି କ୍ଷତି ଏଥିରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ବୀମା କମ୍ପାନି ସ୍ପଷ୍ଟ କରିଦେଇଛି ।

ପୂର୍ବରୁ କରାଯାଇଥିବା ଯୋଜନା ମୁତାବକ ପଦ୍ମାବତୀ ଡିସେମ୍ବର ୧ରେ ରିଲିଜ୍‌ ହେବା କଥା । କିନ୍ତୁ ବିବାଦ ଓ ବିଭିନ୍ନ ରାଜ୍ୟରେ ନିଷେଧାଜ୍ଞା କାରଣରୁ ଏହା ଏପର୍ଯ୍ୟନ୍ତ ଲଟକି ରହିଛି ।

ସମ୍ବନ୍ଧିତ ଖବର