ସେପଟେ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ, ଏପଟେ ଏଲଓସିରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ

 

ନୂଆଦିଲ୍ଲୀ: ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଭାରତ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଯୋର ଦେଉଥିବା ଇମ୍ରାନ ଖାଁ ଇସଲାମାବାଦ ଠାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଥିବା ବେଳେ ଏପଟେ ପାକିସ୍ତାନ ସେନା ଲାଇନ ଅଫ୍‌ କଂଣ୍ଟ୍ରୋଲ ଠାରେ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରି ସୀମାରେ ଗୁଳିଚାଳନା କରିଛି।

ଏଲଓସିର ଜମ୍ମୁ ଓ କଶ୍ମୀରର ତଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା। କେବଳ ସେତିକି ନୁହେଁ, ଗତକାଲି ରାତିରେ ମଧ୍ୟ ପାକିସ୍ତାନ ସୀମାରୁ ସୈଦାପୋରା, ଦହନୀ ଓ ଚଟକଡ଼ ଅଞ୍ଚଳରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି।ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା।
ସୂଚନାଯୋଗ୍ୟ ଯେ ଗତକାଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ନିର୍ବାଚିତ ଇମ୍ରାନ ଖାଁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନା ବାଜପେୟୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ମାତ୍ର ଏହା କହିବାର କେତେ ଘଣ୍ଟା ନ ପୁରୁଣୁ ଓ ଯେତେବେଳେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି, ସେହି ସମୟରେ ପାକିସ୍ତାନ ସେନା ଲାଇନ ଅଫ୍‌ କଂଣ୍ଟ୍ରୋଲରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ସୀମାରେ ଉତ୍ତେଜନା ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର