ଇମ୍ରାନ ସରକାରଙ୍କ କଟକଣା: ସରକାରୀ ଟଙ୍କାରେ ପ୍ରଥମ ଶ୍ରେଣୀ ବିମାନ ଟିକେଟରେ ଯାତ୍ରା କରିପାରିବେନି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଇସଲାମାବାଦ: ବିମାନରେ ଯାତ୍ରା କରିବା ନେଇ ପାକିସ୍ତାନ ସରକାର କଟକଣା ଜାରି କରିଛନ୍ତି। ନବଗଠିତ ସରକାରଙ୍କ ପ୍ରସ୍ତାବ ଅନୁସାରେ ଏଣିକି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ନେତାମାନେ ସରକାରୀ ଟଙ୍କାରେ ପ୍ରଥମ ଶ୍ରେଣୀ ବିମାନ ଟିକେଟରେ ବିମାନ ଯାତ୍ରା କରିପାରିବେ ନାହିଁ। ସୂଚନା ମନ୍ତ୍ରୀ ଫାଓ୍ଵାଦ ଚୌଧୁରୀଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରଧାନ ବିଚାରପତି, ସିନେଟ ଅଧ୍ୟକ୍ଷ, ରାଷ୍ଟ୍ରୀୟ ବିଧାନସଭାର ବାଚସ୍ପତି, ମୁଖ୍ୟମନ୍ତ୍ରୀ ସମେତ ସରକାରୀ ଅଧିକାରୀମାନେ ମଧ୍ୟ କ୍ଲବ/ବିଜନେସ ଟିକେଟରେ ବିମାନ ଯାତ୍ରା କରିବେ। ଗଣମାଧ୍ୟମର ପ୍ରଶ୍ନରେ ଚୌଧୁରୀ କହିଛନ୍ତି, ସେନାଧ୍ୟକ୍ଷଙ୍କୁ ମଧ୍ୟ ପ୍ରଥମ ଶ୍ରେଣୀ ବିମାନ ଟିଟେକରେ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। ସେନାଧ୍ୟକ୍ଷ ମଧ୍ୟ ବିମାନଯାତ୍ରା ସମୟରେ ବିଜନେସ ଶ୍ରେଣୀ ଟିକେଟରେ ଯାତ୍ରା କରିବେ।

ସେ କହିଛନ୍ତି, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ପାଇଁ ଆବଣ୍ଟନ କରାଯାଉଥିବା ବିବେକାଧିନ ପାଣ୍ଠି ବନ୍ଦ କରି ଦିଆଯାଇଛି। ଚୌଧୁରୀ ଅଭିଯୋଗ ଆଣିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ବର୍ଷକୁ ୫୧ ବିଲିଅନ ଟଙ୍କା ବିବେକାଧିନ ପାଣ୍ଠିରୁ ବ୍ୟବହାର କରୁଥିଲେ। ସ୍ୱତନ୍ତ୍ର ବିମାନରେ ବିଦେଶ ଗ୍ରସ୍ତ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର