ଋଣଗ୍ରସ୍ତ ପାକିସ୍ତାନ, ବାକିରେ ଅସ୍ତ୍ରଶସ୍ତ୍ର ବିକିବାକୁ କେହି ରାଜି ହେଉନାହାନ୍ତି

ଇସ୍ଲାମାବାଦ : ସବୁ କ୍ଷେତ୍ରରେ ଭାରତକୁ ନିଜର ପ୍ରତିଦ୍ୱନ୍ଦୀ ବିଚାର କରୁଥିବା ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟରେ ପଡିଯାଇଛି । ଏହାର ଋଣ ଏବେ ଅନେକ ବଢିଯାଇଛି । ଏଥିପାଇଁ ପାକିସ୍ତାନ ବିଦେଶରୁ ଅସ୍ତ୍ରଶସ୍ତ୍ର କିଣିପାରୁନାହିଁ । ବାକିରେ ବି ପାକିସ୍ତାନକୁ କେହି ଅସ୍ତ୍ରଶସ୍ତ୍ର ବିକିବାକୁ ରାଜି ହେଉନାହାନ୍ତି ।
ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଏବେ ସର୍ବନିମ୍ନ ସ୍ତରରେ ପହଞ୍ଚିଯାଇଛି । କେବଳ ଏତିକି ନୁହେଁ ପାକିସ୍ତାନ ମୁଣ୍ଡରେ ଏବେ ପ୍ରାୟ ୮୯ ବିଲିୟନ ଡଲାରର ବୈଦେଶିକ ଋଣ ରହିଛି । ଗୋଟିଏ ନୂଆ ଋଣ କରି ପାକିସ୍ତାନ ଏକ ପୁରୁଣା ଋଣ ସୁଝୁଛି । କେବଳ ଚୀନ ପାଖରୁ ୫୫ ବିଲିୟନ ଡଲାରର ଋଣ ଆଣିଛି ପାକିସ୍ତାନ । ଆମେରିକା ଦ୍ୱାରା ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କରାଯିବା ପରେ ପାକିସ୍ତାନ ଏବେ ନିଜର ପ୍ରକୃତ ଅବସ୍ଥାକୁ ବୁଝିପାରିଛି । ଏହି ଆର୍ଥିକ ଦୂରାବସ୍ଥା କାରଣରୁ ପାକିସ୍ତାନ ଏବେ ନିଜର ଅସ୍ତ୍ରଶସ୍ତ୍ର ଆମଦାନୀ କରିପାରୁନାହିଁ । ୨୦୧୦ରେ ପାକିସ୍ତାନ ବର୍ଷକୁ ୧ ବିିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ଆମେରିକାରୁ ଆମଦାନୀ କରୁଥିବାବେଳେ ଏବେ ତାହା ୨୧ ନିୟୁତ ଡଲାରକୁ ଖସିଯାଇଛି । ଆମେରିକାରୁ ଅସ୍ତ୍ରଶସ୍ତ୍ର ଆସିବା ବନ୍ଦ ହେବା ପରେ ପାକିସ୍ତାନ ଏବେ ଚୀନ ଓ ଋଷିଆ ଆଡେ ଦୃଷ୍ଟି ପକାଇଛି । କିନ୍ତୁ ଅର୍ଥ ଅଭାବରୁ ଏସବୁ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ । ସରଳ ଭାଷାରେ କହିଲେ ବିନା ଅର୍ଥରେ କିଏ ବା ବାକିରେ ଅସ୍ତ୍ରଶସ୍ତ୍ର ଦେବ ? ଏହି କାରଣରୁ ପାକିସ୍ତାନ ନିଜର ବୈଦେଶିକ ମୁଦ୍ରା ଭଣ୍ଡାର ବଢାଇବାକୁ ଯୋଜନା କରିଛି । ପ୍ରବାସୀ ପାକିସ୍ତାନୀଙ୍କୁ ଆର୍ଥିକ ସହାୟତା ପାଇଁ ନିବେଦନ କରିବାକୁ ପାକ ସରକାର ଯୋଜନା କରୁଛନ୍ତି । ଆସନ୍ତା ଜୁନ ସୁଦ୍ଧା ପାକ ସରକାର ଏକ ଓଭରସିଜ୍‌ ସାର୍ଟିଫିକେଟ୍‌ ସ୍କିମ ଆରମ୍ଭ କରିବେ । ଏହା ଦ୍ୱାରା ପ୍ରବାସୀ ପାକିସ୍ତାନୀମାନଙ୍କଠାରୁ ୧ ବିଲିୟନ ଡଲାର ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର