ଧୋକା ଦେଲା ପାକିସ୍ତାନ

ଅଚାନକ ଗୁଳିମାଡ଼ରେ ୨ ବିଏସ୍‌ଏଫ୍‌ ଯବାନ ସହିଦ

ଶ୍ରୀନଗର: ଅସ୍ତ୍ରବିରତି ଚୁକ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସପ୍ତାହକ ତଳେ ପ୍ରତିଶ୍ରୁତି ଦେଇଥିବା ପାକିସ୍ତାନ ଆଜି ଏହାର ଉଲ୍ଲଂଘନ କରି ଭାରତ ସହ ପ୍ରତାରଣା କରିଛି। ଜମ୍ମୁ କଶ୍ମୀରର ଅଖନୁର ସେକ୍ଟରରେ ପାକିସ୍ତାନ ସେନା ଅଚାନକ ପ୍ରବଳ ଗୁଳିବର୍ଷା କରିବାରୁ ଭାରତର ଏକ ଆଗୁଆ ଘାଟିରେ ମୁତୟନ ଥିବା ବିଏସ୍‌୍‌ଏଫ୍‌୍‌ର ୨ ଜଣ ସହକାରୀ ସବ୍‌୍‌ ଇନ୍‌ସ୍ପେକ୍ଟର ସହିଦ ହୋଇଯାଇଛନ୍ତି। ପାକ୍‌ ଗୁଳିମାଡ଼ରେ କାନ୍‌୍‌ଛକ ଏବଂ ଖୋର୍‌ରେ ୧୩ ଜଣ ନାଗରିକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସପ୍ତାହକର ନିରବତା ପରେ ଏବେ ଭାରତ-ପାକ୍‌ ଅନ୍ତର୍ଜାତୀୟ ସୀମାରେ ପୁଣି ଭୟଙ୍କର ଉତ୍ତେଜନା ଦେଖାଦେଇଛି। ପାକ୍‌ ଅସ୍ତ୍ରବିରତି ଉଲ୍ଲଂଘନର ଭାରତ କଡ଼ା ଜବାବ ଦେଇ ଭାରୀ ଯୁଦ୍ଧାସ୍ତ୍ରରେ ଗୁଳିଗୋଳା ବର୍ଷା କରିଛି।

ସପ୍ତାହକ ତଳେ ଉଭୟ ଦେଶର ଡିଜିଏମ୍‌୍‌ଓ ୨୦୦୩ ଅସ୍ତ୍ରବିରତି ଚୁକ୍ତିକୁ ସଂପୂର୍ଣ୍ଣ ଲାଗୁ କରିବା ପାଇଁ ସହମତି ପ୍ରକାଶ କରିଥିଲେ ଏବଂ ପାକିସ୍ତାନ ଏ ଦିଗରେ କୌଣସି ସର୍ତ୍ତ ଉଲ୍ଲଂଘନ କରିବ ନାହିଁ ବୋଲି ପ୍ରତିଶ୍ରୃତି ଦେଇଥିଲା। ତେବେ ଏହା କେବଳ ପାକିସ୍ତାନର ଏକ ବଡ଼ ଛଳନା ଥିଲା ବୋଲି ଆଜି ପ୍ରମାଣିତ ହୋଇଛି। ବିଏସ୍‌୍‌ଏଫ୍‌୍‌ ମହାନିର୍ଦ୍ଦେଶକ ରାମ ଅବତାର କହିଛନ୍ତି ଯେ ଆଜି ପାକିସ୍ତାନ ସେନା ଅନ୍ତର୍ଜାତୀୟ ସୀମାରେ ଅଚାନକ ସ୍ୱୟଂ ଚାଳିତ ବନ୍ଧୁକରୁ ଗୁଳିବର୍ଷା ଆରମ୍ଭ କରିଦେଇଥିଲା। ଅସ୍ତ୍ରବିରତି ବନ୍ଦ ରହିଥିବାରୁ ଏକ ଆଗୁଆ ପୋଷ୍ଟ୍‍ରେ ମୁତୟନ ୨ ଜଣ ଯବାନ ସ୍ୱାଭାବିକ ଭାବେ ସେମାନଙ୍କ କାର୍ଯ୍ୟ କରୁଥିଲେ। ତେଣୁ ପାକିସ୍ତାନ ସେନାର ଅତର୍କିତ ଆକ୍ରମଣକୁ ପ୍ରତିହତ କରିପାରି ନଥିଲେ। ସହିଦ ହୋଇଥିବା ୨ ଯବାନ ହେଲେ ସତ୍ୟ ନାରାୟଣ ଯାଦବ ଏବଂ ବିଜୟ କୁମାର ପାଣ୍ଡେ। ଉଭୟ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ପାକିସ୍ତାନର ଏଭଳି ବିଶ୍ୱାସଘାତକତାର କଡ଼ା ଜବାବ ଦିଆଯାଉଛି ବୋଲି ସେ କହିଛନ୍ତି। ଅଖନୁର ସେକ୍ଟରରେ ଭାରତୀୟ ସେନା ପାକିସ୍ତାନକୁ ଆଜି ଅପରାହ୍ନରେ ଭାରୀ ଯୁଦ୍ଧାସ୍ତ୍ରରେ ଜବାବ ଦେଇଛି । ଏଥିରେ ପାକିସ୍ତାନ ପଟେ ବ୍ୟପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ତେବେ ପାକିସ୍ତାନ ସେନା ସୀମାବର୍ତ୍ତୀ ଗ୍ରାମଗୁଡ଼ିକର ନିରୀହ ଜନତାଙ୍କୁ ଟାର୍ଗେଟ୍‌ କରୁଥିବା ବେଳେ ଭାରତ କେବଳ ପାକ୍‌ ସେନା ପୋଷ୍ଟ ଓ ଘାଟିକୁ ଟାର୍ଗେଟ କରୁଛି ବୋଲି ସେ କହିଛନ୍ତି।

ଦୁଇ ସପ୍ତାହ ତଳେ ପ୍ରବଳ ଗୁଳିବର୍ଷା ଯୋଗୁଁ ସୀମାବର୍ତ୍ତୀ ୬୦ରୁ ଅଧିକ ଗ୍ରାମର ପ୍ରାୟ ୪୦ ହଜାର ଲୋକ ସୁରସ୍ଥିତ ସ୍ଥାନକୁ ସ୍ଥାନାନ୍ତର ହୋଇଥିଲେ। ନିକଟରେ ଅସ୍ତ୍ରବିରତି ଚୁକ୍ତିକୁ ନେଇ ଉଭୟ ରାଷ୍ଟ୍ରର ଆଲୋଚନା ପରେ ଶାନ୍ତି ଫେରିଲା ଭାବି ଗ୍ରାମବାସୀମାନେ ଘରକୁ ଫେରିଥିଲେ ଏବଂ ଏହି ପ୍ରକ୍ରିୟା ଗତକାଲି ହିଁ ଶେଷ ହୋଇଥିଲା। ତେବେ ଆଜି ପାକିସ୍ତାନ ସୀମାନ୍ତ ଗ୍ରାମ ଓ ଆଗୁଆ ପୋଷ୍ଟକୁ ଟାର୍ଗେଟ୍‌ କରି ଗୁଳିବର୍ଷା କରିବା ପରେ ସୀମା ସ୍ଥିତି ପୁଣି ସାଂଘାତିକ ହୋଇଉଠିଛି। ଆବଶ୍ୟକସ୍ଥଳେ ପୁଣି ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ପ୍ରଶାସନ ଯୋଜନା କରୁଛି ।

ସମ୍ବନ୍ଧିତ ଖବର