ଲଦା‌ଖ୍‌ ନିକଟରେ ପାକ୍‌ ଯୁଦ୍ଧ ବିମାନ, ଭାରତର କଡ଼ା ନଜର

ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣ ଘଟାଇବାପାଇଁ ପାକିସ୍ତାନ‌ ‌ସେନା ଏବଂ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀଙ୍କୁ ସହଯୋଗ କରୁଛନ୍ତି। ଏଲ୍‌ଓସି ନିକଟରେ ମଧ୍ୟ ଏବେ ୧୫୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ ଥିବା‌ ଜଣାପଡ଼ିଛି। ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଥିବାବେଳେ ପାକ୍‌ ସେନା ପକ୍ଷରୁ ଲଦାଖ୍‌ ନିକଟରେ ଯୁଦ୍ଧ ବିମାନ ମୁତୟନ କରାଯାଉଛି। ଲଦାଖ୍‌ର ଠିକ୍‌ ବିପରୀତ ପାର୍ଶ୍ବରେ ପାକିସ୍ତାନ ଯୁଦ୍ଧ ବିମାନ ମୁତୟନ କରୁଥିବାରୁ ଭାରତ ଏହା ଉପରେ କଡ଼ା ନଜର ରଖିଛି। ପାକିସ୍ତାନ ବାୟୁସେନାର ୩ଟି ସି-୧୩୦ ପରିବହନ ବିମାନ ଯୋଗେ ଗତ ଶନିବାର ଦିନ ପାକିସ୍ତାନର ସ୍କାର୍ଡୁ ବାୟୁସେନା‌ ଘାଟିକୁ ବିଭିନ୍ନ ଉପକରଣ ନିଆଯାଉଥିବା ଗୁଇନ୍ଦା‌ ସୂତ୍ରରୁ ଜାଣିବାକୁ ମିଳିଛି। ସ୍କାର୍ଡୁ ବାୟୁସେନା ଘାଟି ଲଦାଖ୍‌ କେନ୍ଦ୍ର ଶାସିତ ଅଞ୍ଚଳର ଠିକ୍‌ ବିପରୀତ ପାର୍ଶ୍ବରେ ଥିବାରୁ ଭାରତୀୟ ଗୁଇନ୍ଦା ସଂସ୍ଥା ସହ ଉଭୟ ସ୍ଥଳ ସେନା ଏବଂ ବାୟୁସେନା ପକ୍ଷରୁ ଏଥିପ୍ରତି କଡ଼ା ନଜର ରଖାଯାଇଛି। ସୀମା ନିକଟରେ ପାକିସ୍ତାନର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ଦ୍ବାରା ଏହାର ଆଗୁଆ ସେନା ଘାଟିକୁ ସ୍ଥାନାନ୍ତର ହୋଇଥିବା ଉପକରଣ ଯୁଦ୍ଧ ବିମାନ ଅପରେସନ୍‌ରେ ସାହାଯ୍ୟ କରିପାରେ। ଅନେକ ବର୍ଷ ଧରି ପାକିସ୍ତାନ ଆମେରିକାର ସି-୧୩୦ ପରିବହନ ବିମାନ ବ୍ୟବହାର କରୁଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତ‌ିରେ ପାକିସ୍ତାନ ଲଦାଖ୍‌ ନିକଟରେ ଯୁଦ୍ଧ ବିମାନ ମୁତୟନ କରିଥିବାରୁ ପାକିସ୍ତାନ କୌଣସି ପ୍ରକାର ବଡ଼ ଧରଣର ଅପରେସନ୍‌ କରିପାବେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର