ଲାଡେନ୍‌କୁ ହତ୍ୟା କରିବାପାଇଁ ଆମେରିକାକୁ ସହଯୋଗ କରିଥିଲା ପାକ୍‌ ଗୁଇନ୍ଦା

ୱାସିଂଟନ୍‌: ଅଲ କାଏଦା ନେତା ଓସାମା ବିନ୍‌ ଲାଡେନ୍‌କୁ ଠାବ କରି ତାକୁ ହତ୍ୟା କରିବାରେ ଆମେରିକାକୁ ପାକିସ୍ତାନର ମୁଖ୍ୟ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହଯୋଗ କରିଥିଲା। ଏକଥା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବେ ଆମେରିକା ଗସ୍ତରେ ଥିବା ଅବସରରେ ଆମେରିକାର ଏକ ଟିଭି ଚ୍ୟାନେଲ୍‌ରେ ସାକ୍ଷାତକାର ଦେଇ କହିଛନ୍ତି। ଯଦିଓ ପାକିସ୍ତାନ ଏଯାବତ୍‌ ଲାଡ଼େନ ସମ୍ପର୍କରେ କିଛି କଥା ଜାଣିନଥିବା କହିଛି ଏବଂ ଏହାର ମାଟିରେ ଲାଡ଼େନ ଥିବା କଥାକୁ ପ୍ରତ୍ୟାଖ୍ୟାନ କରି ଆସିଛି ଏଭଳି ସ୍ଥିତିରେ ଇମ୍ରାନ୍‌ଙ୍କର ଏହି ବୟାନକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଆମେରିକାର ଫକ୍ସ ନ୍ୟୁଜ୍‌ ଚ୍ୟାନେଲ୍‌ରେ ଇମ୍ରାନ୍‌ କହିଛନ୍ତି ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ସୂଚନା ଅନୁଯାୟୀ ଲା‌ଡେନ୍‌କୁ ଠାବ କରାଯାଇଥିଲା। ସିଆଇଏଠାରୁ ଏନେଇ ସଠିକ୍‌ ଉତ୍ତର ମିଳିପାରିବ ବୋଲି ସେ କହିଛନ୍ତି। ଫୋନ୍‌ ଯୋଗାଯୋଗ ମାଧ୍ୟମରେ ଆଇଏସ୍‌ଆଇ ସିଆଇଏକୁ ଲାଡେନର ପ୍ରାଥମିକ ଉପସ୍ଥିତି ସମ୍ପର୍କ‌ରେ ସୂଚନା ଦେଇଥିଲା। ତେବେ ଇମ୍ରାନ୍‌ ଏନେଇ ବିସ୍ତୃତ ଭାବେ କିଛି କହିନାହାନ୍ତି। ଲାଡେନ୍‌କୁ ଆମେରିକା ସ୍ବତନ୍ତ୍ର ବାହିନୀ ୨୦୧୧ ମସିହା ମେ’ ୨ରେ ଗୁଳି କରି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର