ପାକ ସେନାମୁଖ୍ୟ ବାଜଓ୍ଵାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ପଥ ପରିଷ୍କାର, ସେନା (ସଂଶୋଧନ) ବିଲ୍‌ ଗୃହୀତ

ଇସଲାମାବାଦ : ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ଵାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢିବା ନେଇ ପଥ ପରିଷ୍କାର ହୋଇଛି । ପାକିସ୍ତାନ ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲି ବାଜଓ୍ଵାଙ୍କ କାର୍ଯ୍ୟକାଳ ବୃଦ୍ଧି ସଂପର୍କିତ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ଗୃହୀତ କରିଛି । ଏହି ୩ଟି ବିଲ ହେଲା ପାକିସ୍ତାନ ସେନା( ସଂଶୋଧନ) ବିଲ୍‌ ୨୦୨୦, ପାକିସ୍ତାନ ବାୟୁସେନା (ସଂଶୋଧନ) ବିଲ୍‌୨୦୨୦ ଓ ପାକିସ୍ତାନ ନୌସେନା (ସଂଶୋଧନ) ବିଲ ୨୦୨୦ ।

ଏହି ବିଲଗୁଡ଼ିକୁ ପାସ କରିବା ଲାଗି ବିରୋଧୀ ଦଳ ଗୁଡ଼ିକ ସରକାରଙ୍କୁ ସମର୍ଥନ କରିଥିଲେ ।
ଜେନେରାଲ ବାଜଓ୍ଵାଙ୍କ କାର୍ଯ୍ୟକାଳ ଗତ ବର୍ଷ ନଭେମ୍ବର ୨୯ରେ ଶେଷ ହେଉଥିଲା, କିନ୍ତୁ ଏହି କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କୁ ଆଉ ୩ ବର୍ଷ ସଂପ୍ରସାରଣ ଦେଇଥିଲେ । କିନ୍ତୁ ଗତ ନଭେମ୍ବର ୨୮ରେ ପାକିସ୍ତାନ ସୁପ୍ରିମକୋର୍ଟ ଏହି ସଂପ୍ରସାରଣ ନିର୍ଦ୍ଦେଶକୁ ଖାରଜ କରିଦେଇଥିଲେ ଓ କହିଥିଲେ ଯେ ସେନାମୁଖ୍ୟଙ୍କ କାର୍ଯ୍ୟକାଳ ବଢାଯିବା ନେଇ କୌଣସି ଆଇନ ନାହିଁ । ତେବେ ଏ ସଂପର୍କରେ ଏକ ଆଇନ ଅଣାଯିବ ବୋଲି ପାକିସ୍ତାନ ସରକାର ପ୍ରତିଶ୍ରୁତି ଦେବା ପରେ ସୁପ୍ରିମ କୋର୍ଟ ବାଜଓ୍ଵାଙ୍କୁ ମାତ୍ର ୬ ମାସ ପାଇଁ ସଂପ୍ରସାରଣ ଦେଇଥିଲେ ।
ଗତ ସୋମାବାରଦିନ ପାକିସ୍ତାନର ପ୍ରତିରକ୍ଷା ସଂପର୍କିତ ଷ୍ଟାଣ୍ଡିଂ କମିଟି ପକ୍ଷରୁ ସବୁଜ ସଂକେତ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର