ବିସ୍କେକରେ ରାଜନୈତିକ ପ୍ରୋଟୋକଲ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ଇମରାନ: ରାଷ୍ଟ୍ର ଅଧ୍ୟକ୍ଷଙ୍କ ସ୍ୱାଗତ ସମୟରେ ଅନ୍ୟମାନେ ଠିଆ ହୋଇଥିବା ବେଳେ ସେ ବସିଥିଲେ

ବିସ୍କେକ୍ : କିର୍ଗିଜସ୍ତାନର ରାଜଧାନୀ ବିସ୍କେକରେ ଆୟୋଜିତ ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ରାଜନୈତିକ ପ୍ରୋଟୋକଲ ଭାଙ୍ଗିଛନ୍ତି । ସମ୍ମିଳନୀର ଉଦଘାଟନ ସମାରୋହରେ ପାକିସ୍ତାନ ତେହେରିକ-ଏ-ଇନସାଫ(ପିଟିଆଇ)ର ଅଫିସିଆଲ ଟ୍ୱିଟରରେ ସେୟାର କରାଯାଇଥିବା ଏକ ଭିଡିଓରେ ଏହି ସମୟରେ ଇମରାନ ଖାନଙ୍କୁ ସମାରୋହରେ ବସିଥିବା ଦେଖିବାକୁ ମିଳିଛି । ମାତ୍ର ଅବଶିଷ୍ଟ ସମସ୍ତ ଦେଶର ପ୍ରମୁଖଙ୍କ ହଲରେ ପ୍ରବେଶ କରିବା ସମୟରେ ତାଙ୍କ ସ୍ୱାଗତ ପାଇଁ ଅନ୍ୟମାନେ ଛିଡା ହେଉଥିଲେ।

ଉଦଘାଟନ ସମାରୋହ ସମୟରେ ସମସ୍ତ ଦେଶର ପ୍ରମୁଖ ଜଣେ ଜଣେ କରି ହଲରେ ପ୍ରବେଶ କରୁଥିଲେ । ଏହି ସମୟରେ ସେଠି ଉପସ୍ଥିତ ଥିବା ସମସ୍ତ ଅତିଥି ଛିଡା ହୋଇ ସ୍ୱାଗତ କରୁଥିଲେ । ଏହି ସମୟରେ କେବଳ ଇମରାନ ଖାନ ହିଁ ଏକୁଟିଆ ଏମିତି ବ୍ୟକ୍ତି ଥିଲେ, ଯିଏ ଚେୟାରରେ ବସିଥିଲେ । କିନ୍ତୁ କିଛି ସମୟ ପରେ ଜାଣିପାରିଲେ କି ପୂରା ସମାରୋହରେ ଏକୁଟିଆ ସେ ହିଁ ବସିଛନ୍ତି ଓ ଅନ୍ୟମାନେ ଛିଡା ହୋଇଛନ୍ତି । ଏହାର ତୁରନ୍ତ ପରେ ସେ ଛିଡା ହୋଇଗଲେ, କିନ୍ତୁ ପୁଣି ଥରେ ବସିପଡ଼ିଥିଲେ । ଏହାପୂର୍ବରୁ ଇମରାନ ସାଉଦି ଆରବରେ ଆୟୋଜିତ ୧୪ତମ ଓଆଇସି ଶିଖର ସମ୍ମିଳନୀରେ ବି ପ୍ରୋଟୋକଲ ଭାଙ୍ଗିଥିଲେ ।
ସମ୍ବନ୍ଧିତ ଖବର