ବିଏସଏଫ ସହିତ ଆଲୋଚନା ପାଇଁ ନୂଆଦିଲ୍ଲୀରେ ପାକିସ୍ତାନ ରେଞ୍ଜର୍ସ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ସୀମାରେ ପ୍ରତିଦିନ ବିବାଦ ବଢ଼ୁଥିବା ବେଳେ ପାକିସ୍ତାନର ରେଞ୍ଜର୍ସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତୀୟ ସୀମା ସୁରକ୍ଷା ବାହିନୀ(ବିଏସଏଫ)କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଲାଗି ଗତକାଲି ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଆଲୋଚନା କାଳରେ ବିଏସଫ ପକ୍ଷରୁ ଅସ୍ତ୍ରବିରତି ଉଲଂଘନ କରାଯାଇ ପାକିସ୍ତାନୀ ସେନା ଓ ରେଞ୍ଜର ପକ୍ଷରୁ ଗୁଳିଗୋଳା ମାଡ଼ କରାଯାଉଥିବାରୁ ଭାରତର ନିରିହ ଜନସାଧାରଣ ମୃତାହତ ହେଉଥିବା ପ୍ରସଙ୍ଗ ସହିତ ପାକିସ୍ତାନୀ ସେନା ଓ ରେଞ୍ଜର ସହଯୋଗରେ ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ପ୍ରସଙ୍ଗକୁ ପାକିସ୍ତାନୀ ଅଧିକାରୀମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବ।
ସୂଚନାଯୋଗ୍ୟ ଯେ ପାକିସ୍ତାନ ରେଞ୍ଜର୍ସ(ସିନ୍ଧ)ର ମହାନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ସୟିଦଙ୍କ ନେତୃତ୍ଵରେ ପାକିସ୍ତାନର ଏକ ୧୯ ଜଣିଆ ପ୍ରତିନିଧିମଣ୍ଡଳି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ପ୍ରତିନିଧିମଣ୍ଡଳି ବିଏସଫ ମୁଖ୍ୟ କେ କେ ଶର୍ମାଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧିମଣ୍ଡଳିଙ୍କୁ ଭେଟି ଭାରତ-ପାକିସ୍ତାନ ସୀମାରେ ଘଟୁଥିବା ହିଂସା, ଚୋରା କାରବାର ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ।
ସୂଚନାଯୋଗ୍ୟ ଯେ ଗତ ୨୦୧୬ ମସିହା ଜୁଲାଇ ମାସରେ ବିଏସଏଫ୍‌ର ମହାନିର୍ଦ୍ଦେଶକ କେ କେ ଶର୍ମାଙ୍କ ନେତୃତ୍ୱରେ ଏକ ଟିମ୍‌ ଲାହୋର ଯାଇ ପାକିସ୍ତାନ ରେଞ୍ଜର୍ସଙ୍କ ସହିତ ଆଲୋଚନା କରିଥିଲେ। ତେବେ ଗତ ବର୍ଷକ ମଧ୍ୟରେ ପାକସ୍ତାନ ରେଞ୍ଜର୍ସ ଯେତିକି ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ଗୁଳିଗୋଳା ମାଡ଼କରି ସାଧାରଣ ଲୋକଙ୍କୁ ମୃତାହତ କରିଛି, ଏହାର ପ୍ରତି ଜବାବରେ ବିଏଓଫ୍‌ ପକ୍ଷରୁ ମଧ୍ୟ ପାକିସ୍ତାନ ରେଞ୍ଜର୍ସର ବହୁ କର୍ମଚାରୀ, ଅଧିକାରୀଙ୍କୁ ଟାର୍ଗେଟ କରି ଗୁଳିଗୋଳା ମାଡ଼ କରାଯାଇଛି।
ସୂଚନାଯୋଗ୍ୟ ଭାରତ-ପାକସ୍ତାନ ମଧ୍ୟରେ ୩ ହଜାର ୩୨୩ କିଲୋମିଟରର ସୀମା ରହିଛି, ଯାହାକି ଭାରତର ୪ଟି ରାଜ୍ୟ ଜାମ୍ମୁ ଓ କଶ୍ମୀର, ପଞ୍ଜାବ,ରାଜସ୍ଥାନ ଓ ଗୁଜୁରାଟ୍‌କୁ ଲାଗି ରହିଛି। ଏହି ସୀମାନ୍ତ ଦେଇ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତରେ ପ୍ରବେଶ କରିବା ସହିତ ବେଆଇନ୍‌ ନିଶା ଓ ଅସ୍ତ୍ରଶସ୍ତ୍ର କାରବାର ଚଳାଇଛନ୍ତି। ଏହା ବନ୍ଦ କରିବା ପାଇଁ ଭାରତ ପକ୍ଷରୁ ପାକିସ୍ତାନ ରେଞ୍ଜର୍ସଙ୍କ ଉପରେ ଚାପ ପ୍ରୟୋଗ କରାଯାଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର