ନିଜ ଜାଲରେ ଫସିଗଲା ପାକିସ୍ତାନ; ଜାରି ଫଟୋରେ କୁଲଭୂଷଣଙ୍କୁ ନିର୍ଯାତନାର ଚିତ୍ର ସ୍ପଷ୍ଟ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷା ଓ ଅନେକ ବିବାଦର ଅନ୍ତ ଘଟାଇ ଆଜି ପୂର୍ବାହ୍ନରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଲଭୂଷଣ ଯାଦବଙ୍କୁ ଭେଟିବା ପାଇଁ ତାଙ୍କ ମା’ ଓ ପତ୍ନୀଙ୍କୁ ସୁଯୋଗ ପ୍ରଦାନ କରିବା ପରେ, ନିଜ ସ୍ଥିତିକୁ ସୁଧାରିବା ପାଇଁ ପାକିସ୍ତାନ ଯେଉଁ ପ୍ରକାରର ହୀନ ଉଦ୍ୟମ ଆରମ୍ଭ କରିଛି, ତା’କୁ ନେଇ ବିଶ୍ୱ ବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇ ଯାଇଛି।

କାରଣ, ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁଲଭୂଷଣଙ୍କର ଯେଉଁ ଫଟୋ ଓ ଭିଡିଓ ଗଣମାଧ୍ୟମକୁ ପ୍ରଦାନ କରାଯାଇଛି ସେଥିରେ ତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ବୋଧହୁଏ, ଏହି କାରଣ ପାଇଁ କୁଲଭୂଷଣଙ୍କୁ ନିକଟରୁ ଭେଟିବା ପାଇଁ ତାଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନ ସରକାର ଅନୁମତି ପ୍ରଦାନ କରି ନଥିଲେ। ଉଭୟେ ମନ୍ତ୍ରାଳୟ ମଧ୍ୟରେ ଯଥେଷ୍ଟ ଦୂରରୁ ପରସ୍ପରକୁ ଦେଖିଥିଲେ। ସେମାନଙ୍କ ମଧ୍ୟରେ ଏକ କାଚର ପ୍ରାଚୀର ଥିଲା। ପୁଣି ଏକ ଇଣ୍ଟରକମ୍‌ ଫୋନ୍‌ ସାହାଯ୍ୟରେ ମା’ ଓ ପତ୍ନୀଙ୍କ ସହ କଥା ହେବାକୁ କୁଲଭୂଷଣଙ୍କୁ କୁହାଯାଇଥିଲା। ଖାଲି ଏତିକି ନୁହେଁ, କୁଲଭୂଷଣଙ୍କ ମା’ ଓ ପତ୍ନୀଙ୍କୁ ନେଇ ସେଠାକୁ ଯାଇଥିବା ଭାରତୀୟ ଦୂତାବାସର ଉପ-କମିଶନର ଜେପି ସିଂହଙ୍କୁ କୁଲଭୂଷଣଙ୍କୁ ଦେଖିବା ପାଇଁ ସୁଦ୍ଧା ଅନୁମତି ପ୍ରଦାନ କରାଯାଇ ନଥିଲା।

NDTV.com

ଏହାପରେ ବି ଯେଉଁପରି ଢ଼ଙ୍ଗରେ ପାକିସ୍ତାନ ସରକାର କୁଲଭୂଷଣଙ୍କୁ ଭେଟିବା ପାଇଁ ତାଙ୍କ ମା’ ଓ ପତ୍ନୀଙ୍କୁ ସୁଯୋଗ ଦେଲେ ଏବଂ ପରବର୍ତ୍ତୀ ସମୟରେ ସଙ୍ଗେ ସଙ୍ଗେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ତା’ର ଫଟୋଚିତ୍ର ଓ ଭିଡିଓ ଟୁଇଟରରେ ଛାଡ଼ିଲେ ସେଥିରୁ ପାକିସ୍ତାନର ଅସଲ ଚେହେରା ପଦାରେ ପଡ଼ିଯାଇଛି। ଖାଲି, ଏତିକିରେ ସନ୍ତୁଷ୍ଟ ରହିଯାଇନି ପାକିସ୍ତାନ। ସଙ୍ଗେ ସଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାକ୍ଷାତ ସମୟର ଫଟୋ ଓ ଭିଡିଓ ପ୍ରଦର୍ଶିତ କରାଯାଇଛି। ଯେଉଁଥିରେ ସେ ତାଙ୍କ ବିରୋଧରେ ଆଗତ ଅଭିଯୋଗକୁ ସ୍ୱୀକାର କରୁଥିବା ଶୁଣିବା ପାଇଁ ମିଳୁଛି।

ଭିଡିଓରେ କୁଲଭୂଷଣଙ୍କ କଣ୍ଠରେ ଶୁଣିବାକୁ ମିଳୁଛି, ‘ମୁଁ ଇରାନ୍‌ ସୀମା ଡେଇଁ ଦୁଇ ବର୍ଷ ତଳେ ପାକିସ୍ତାନ ସୀମା ମଧ୍ୟକୁ ପ୍ରବେଶ କରିଥିଲି। ସେ ସମୟରେ ମୁଁ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ ପାଇଁ କାର୍ଯ୍ୟ କରୁଥିଲି। ତେବେ, ଗିରଫ ହେବା ପରେ ପାକିସ୍ତାନ କର୍ତ୍ତୃପକ୍ଷ ମୋ ସହ ଭଲ, ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଆସଛନ୍ତି। ମୋ ସହ ସାକ୍ଷାତ ପାଇଁ ମା’ ଓ ପତ୍ନୀଙ୍କୁ ସୁଯୋଗ ଦେବାକୁ ମୁଁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲି। ମୋ ଅନୁରୋଧକୁ ରକ୍ଷା କରିଥିବାରୁ ମୁଁ ପାକିସ୍ତାନ ସରକାରଙ୍କ ନିକଟରେ ଋଣୀ।’

Rediff.com

ତେବେ, କୁଲଭୂଷଣ ଯେଉଁପରି ଭାବେ ଏସବୁ କଥା ଭିଡିଓରେ କହୁଛନ୍ତି, ତାହା ସେ ମନରୁ କହୁ ନାହାନ୍ତି ବରଂ ତାଙ୍କ ସାମନାରେ ରଖା ଯାଇଥିବା କୌଣସି ଏକ କାଗଜରୁ ପଢ଼ୁଛନ୍ତି ଏବଂ ଭୟରେ ତାଙ୍କ କଣ୍ଠସ୍ୱର ଥରୁଥିବା ପ୍ରତୀୟମାନ ହେଉଛି। ଅନ୍ୟପକ୍ଷରେ ମା’ ଓ ପତ୍ନୀଙ୍କୁ ସାକ୍ଷାତ କଲାବେଳେ କୁଲଭୂଷଣ ଏକ ନୀଳ ରଙ୍ଗର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳୁଥିବା ବେଳେ ଭିଡିଓରେ ତାଙ୍କୁ ଖଇରିଆ ରଙ୍ଗର ଏକ ସ୍ୱେଟର ପରିଧାନ କରିଥିବା ଦେଖିବାକୁ ମିଳିିଛି। ଖାଲି ଏତିକି ନୁହେଁ, ତାଙ୍କ ବାମ କାନ ତଳେ ମାଂସ ନଥିବା ଏବଂ ତାଙ୍କ ଗଳାରେ ଥିବା ଏକାଧିକ ଆଞ୍ଚୁଡା ଦାଗ ପ୍ରମାଣିତ କରୁଛି ଯେ ତାଙ୍କୁ ପାକିସ୍ତାନ ଜେଲ୍‌ ମଧ୍ୟରେ ନିର୍ଯାତନା ଦିଆଯାଉଛି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତଥିବା ଅଭିଯୋଗରେ ପାକିସ୍ତାନ ସରକାର କୁଳଭୂଷଣଙ୍କୁ ୨୦୧୬ ମାର୍ଚ୍ଚ ୩ ତାରିଖରେ ଗିରଫ କରିିଥିଲେ। ପାକିସ୍ତାନରେ ଭାରତୀୟ ଗୁଇନ୍ଦା ବିଭାଗ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରି ସେଠାକାର ସରକାର କୁଳଭୂଷଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଚଳିତ ବର୍ଷ ଏପ୍ରିଲ ମାସରେ ପାକିସ୍ତାନ ସାମରିକ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଭାରତର ହସ୍ତକ୍ଷେପ ପରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ) ଗତ ମେ ୧୮ ତାରିଖରେ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶରେ ରୋକ୍‌ ଲଗାଇଛନ୍ତି।

ସମ୍ବନ୍ଧିତ ଖବର