ଏକ ବର୍ଷ ମଧ୍ୟରେ ପାକିସ୍ତାନୀ ଟଙ୍କା ଡଲାର ତୁଳନାରେ ୨୫୦ ତଳକୁ ଖସିବ !

ଇସ୍ଲାମାବାଦ : ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି । ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଏବେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ସ୍ଥିତି ଏପରି ରହିଲେ ଆସନ୍ତା ଏକ ବର୍ଷ ମଧ୍ୟରେ ପାକିସ୍ତାନୀ ଟଙ୍କାର ଦ୍ରୁତ ଅବମୂଲ୍ୟାଙ୍କନ ହୋଇଯିବ । ଏପରିକି ଏହା ଡଲାର ପିଛା ୨୫୦ ପାକିସ୍ତାନୀ ଟଙ୍କାରେ ପହଞ୍ଚିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପାକିସ୍ତାନର ଜଣେ ବରିଷ୍ଠ ଅର୍ଥନିତିଜ୍ଞ କାଇଜର ବେଙ୍ଗାଲି । ଏବେ ୧୪୭ ପାକିସ୍ତାନୀ ଟଙ୍କା ବିନିମୟରେ ଗୋଟିଏ ଡଲାର ମିଳୁଛି । ସେ ଆହୁରି ମଧ୍ୟ କହିଛନ୍ତି ଚୀନର ସିପିଇସି ପ୍ରକଳ୍ପ ପାକିସ୍ତାନ ପାଇଁ ଆଉ ଏକ ଇଷ୍ଟ ଇଣ୍ଡିଆ କମ୍ପାନି ହେବ ।

ପାକିସ୍ତାନର ସ୍ଥିତି ଦେବାଳିଆ ଆଡକୁ ଯାଉଥିବାବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଏକ ଋଣ ପ୍ୟାକେଜ ଉପରେ ଏହି ଦେଶ ଭରଷା କରିରହିଛି । କିନ୍ତୁ ଆଇଏମଏଫ ଓ ବିଶ୍ୱ ବ୍ୟାଙ୍କ ଋଣ ବଦଳରେ ପାକିସ୍ତାନ ଉପରେ ଯେଉଁ ସର୍ତ୍ତମାନ ଲଗାଇଛନ୍ତି ତାହା ଦେଖିଲେ ଜଣାଯାଉଛି ଯେ ଆସନ୍ତା କିଛି ବର୍ଷ ପର୍ଯ୍ୟନ୍ତ ଦେଶର ଅର୍ଥନୀତି ଏହି ଦୁଇ ବହୁରାଷ୍ଟ୍ରୀୟ ଆର୍ଥିକ ସଂସ୍ଥା ନିୟନ୍ତ୍ରଣରେ ରହିବ ।

ସମ୍ବନ୍ଧିତ ଖବର