ପାକିସ୍ତାନକୁ ଏନଏସଜିରେ ସାମିଲ କଲେ ବିଶ୍ୱ ପାଇଁ ବିପଦ ମାଡିଆସିବ

ଓ୍ଵାସିଂଟନ : ଇସ୍ଲାମିକ ଦେଶ ପାକିସ୍ତାନକୁ ନ୍ୟୁକ୍ଲିୟର ସପ୍ଲାଇ ଗ୍ରୁପ (ଏନଏସଜି)ରେ କୌଣସି ମତେ ସାମିଲ କରାଯିବା ଉଚିତ ନୁହେଁ ବୋଲି ଆମେରିକାର ଏକ ସଂସ୍ଥା ଇନଷ୍ଟିଚ୍ୟୁଟ ଫର ସାଇନ୍ସ ଏଣ୍ଡ ଇଣ୍ଟରନାସନାଲ ସିକ୍ୟୁରିଟି ପକ୍ଷରୁ ଚେତାଇଦିଆଯାଇଛି । ଏହି ସଂସ୍ଥା ବିଭିନ୍ନ ଦେଶର ପରମାଣୁ କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ରଖିଥାଏ ।
ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସାରା ବିଶ୍ୱର ନିଜର ଉତ୍ତରକୋରିଆ ଓ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ରହିଥିବାବେଳେ ପାକିସ୍ତାନ କଥା ସମସ୍ତେ ଭୁଲି ଯାଉଛନ୍ତି । ଗୋପନରେ ଏହି ଦେଶ ନିଜର ପରମାଣୁ ଅସ୍ତ୍ର ସଂଖ୍ୟା ବଢାଇଚାଲିଛି । ଏହି ଦେଶ ଆତଙ୍କବାଦୀଙ୍କ ତାଲିମକେନ୍ଦ୍ର ପାଲଟିଛି । ଆତଙ୍କବାଦୀଙ୍କ ହାତରେ ପରମାଣୁ ଅସ୍ତ୍ର ପଡିଲେ ତାହା ସମଗ୍ର ବିଶ୍ୱ ପାଇଁ ବିପଦ ।
ଆହୁରି ମଧ୍ୟ ପରମାଣୁ ଶକ୍ତିର ବେସାମରିକ ଉପଯୋଗ ଓ ସାମରିକ ଉପଯୋଗକୁ ପୃଥକ କରିବାକୁ ଏହି ଦେଶ ରାଜି ହେଉନାହିଁ । ଏହା ମଧ୍ୟ ଏକ ଚିନ୍ତାର ବିଷୟ । ଏଣୁ ଏହାକୁ କୌଣସି ମତେ ଏନଏସଜିର ଦୂରେଇ ରଖାଯିବା ଆବଶ୍ୟକ । ଏନଏସଜିର ସଦସ୍ୟ ହେଲେ ପାକିସ୍ତାନକୁ ସହଜରେ ପରମାଣୁ ଇନ୍ଧନ ମିଳିପାରିବ ।
ଗତକାଲି ଜାତିସଂଘରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ନିକ୍କି ହେଲି କହିଥିଲେ ଯେ ଭାରତ ବିଶ୍ୱରେ ଏକ ପ୍ରମୁଖ ପରମାଣୁ ଶକ୍ତିଧାରୀ ଦେଶ । କିନ୍ତୁ ଭାରତ ପାଇଁ କେହି ଚିନ୍ତିତ ନାହାନ୍ତି । କିନ୍ତୁ ପାକିସ୍ତାନ ପାଇଁ ସମଗ୍ର ବିଶ୍ୱ ଚିନ୍ତିତ, କାରଣ ଏହା ଆତଙ୍କବାଦର କେନ୍ଦ୍ରସ୍ଥଳୀ । ଆମେରିକା ଦକ୍ଷିଣ ଏସିଆରେ ଶାନ୍ତି ବଜାୟ ରହିବା ଚାହୁଁଛି, କିନ୍ତୁ ପାକିସ୍ତାନ ଏ କ୍ଷେତ୍ରରେ ଏକ ପ୍ରତିବନ୍ଧକ ।

ସମ୍ବନ୍ଧିତ ଖବର