ଜାତିସଂଘ ମାନବ ଅଧିକାର ପରିଷଦରେ କଶ୍ମୀର ଓ ନାଗରିକତା ଆଇନ ପ୍ରସଙ୍ଗ ଉଠାଇବ ପାକିସ୍ତାନ

ଜେନିଭା: ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ବାରମ୍ବାର ବିଫଳ ହେବା ସତ୍ତ୍ୱେ ନିଜର ଭାରତ ବିରୋଧୀ ଉଦ୍ୟମକୁ ଅବ୍ୟାହତ ରଖିଛି ପାକିସ୍ତାନ । ଆଜି ଜେନିଭାଠାରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ ଅଧିବେଶନରେ ପାକିସ୍ତାନ ପୁଣିଥରେ କଶ୍ମୀର ଓ ଭାରତର ନାଗରିକତା ଆଇନ ପ୍ରସଙ୍ଗ ଉଠାଇବାକୁ ଯାଉଛି ।

ଏହି ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ ଭାଷଣ ଦେବାର ଥିଲେ ମଧ୍ୟ ଶେଷ ମୂହୂର୍ତ୍ତରେ ସେ ଏଥିରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ପାକିସ୍ତାନ ସରକାର ମାନବ ଅଧିକାର ମନ୍ତ୍ରୀ ସରିନ ମଜାରିଙ୍କୁ ପଠାଇଛନ୍ତି । ନିଜର ଭାଷଣରେ ମଜାରି କଶ୍ମୀରରୁ ୩୭୦ ଉଚ୍ଛେଦ, ଭାରତର ନାଗରିକତା ଆଇନ ଓ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇବେ ।

ସୂଚନାଯୋଗ୍ୟ ଯେ, ଭାରତ ସରକାର ଗତବର୍ଷ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ଏହା ସହିତ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ । ଏହା ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ସଂପର୍କ ଖରାପ ହୋଇଚାଲିଛି । ଅନ୍ୟପକ୍ଷରେ ସୂଚନାଯୋଗ୍ୟ ଗତ ଡିସେମ୍ବର ମାସରେ ଭାରତ ସରକାର ନାଗରିକତା (ସଂଶୋଧନ) ଆଇନ ପ୍ରଣୟନ କରିଥିଲେ । ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର