ପାକ୍‌ର ପୁଣି ଧମକ: ଭାରତ ଭାଷାରେ ଜବାବ ଦିଆଯିବ

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକ୍‌ ଭୟରେ ପିଳେହି ପାଣି ହୋଇଯିବା ପରେ ପାକିସ୍ତାନ ଆଜି ଭାରତକୁ ପୁଣିଥରେ ପରୋକ୍ଷ ଧମକ ଦେଇଛି। ସୁଞ୍ଜଓ୍ଵାନ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସଦିଦ୍‌ ଯବାନଙ୍କ ବଳିଦାନର ମୂଲ୍ୟ ପାକିସ୍ତାନକୁ ଦେବାକୁ ପଡ଼ିବ ବୋଲି ଗତକାଲି ଜମ୍ମୁରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଦୃଢ଼ୋକ୍ତି ପ୍ରକାଶ କରିିବା ପରେ ଆଜି ପାକିସ୍ତାନ ପୁଣିଥରେ ମୁହଁ ଖୋଲିଛି। ଭାରତର ପ୍ରତ୍ୟେକ କାର୍ଯ୍ୟାନୁଷ୍ଠାନର ଜବାବ୍‌ ତାଙ୍କରି ଭାଷାରେ ହିଁ ଦିଆଯିବ ବୋଲି ଏକ ବିବୃତି ଜାରି କରି ପାକିସ୍ତାନ ସରକାର କହିଛନ୍ତି। ପାକିସ୍ତାନ ମାଟିରେ ହିଁ ଭାରତକୁ ଏହି ଜବାବ୍‌ ମିଳିଯିବ ବୋଲି କୁହାଯାଇଛି।
ବିନା ଦୋଷରେ ପାକିସ୍ତାନର ଆଣ୍ଠୁଭାଙ୍ଗି ଦୋଷୀ ସାବ୍ୟସ୍ତ କରିଥିବା ଭାରତ ନିଜ ମାଟିର ଗୁଇନ୍ଦା କର୍ମଚାରୀ କୂଳଭୂଷଣଙ୍କ କଥା ଚିନ୍ତା କରୁ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୁରମ୍‌ ଦସ୍ତଗୀର ଖାନ୍‌ କହିଛନ୍ତି। ଏଥି ସହିତ ୧୧ବର୍ଷ ତଳେ ଅର୍ଥାତ୍‌ ୨୦୦୭ ମସିହାରେ ପାନିପତ୍‌ ନିକଟ ଦିଓ୍ଵାନା ରେଳ ଷ୍ଟେସନରେ ହୋଇଥିବା ସମଝୋତା ଏକ୍ସପ୍ରେସ୍‌ ବିସ୍ଫୋରଣ ଓ ହତ୍ୟା ମାମଲାରେ ଭାରତ ସରକାର ପାକିସ୍ତାନର ୪୨ ଜଣ ନିରୀହ ମୃତକଙ୍କୁ ନ୍ୟାୟ ଦେଇପାରିନଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସୁଞ୍ଜଓ୍ଵାନ୍‌ ଆକ୍ରମଣ ଘଟଣା ପରେ ଏଥିପାଇଁ ପାକିସ୍ତାନର ଜୈଶ୍‌-ଇ-ମହମ୍ମଦ ସଂଗଠନ ନିଜକୁ ଦାୟୀ କରିଥିଲା।

ଘଟଣାସ୍ଥଳରୁ ସଂଗଠନର ଆତଙ୍କବାଦୀଙ୍କ ନିକଟରୁ ଜବତ ହୋଇଥିବା ଡ୍ରୋଜର ଓ ବନ୍ଧୁକ ପାକିସ୍ତାନ ତିଆରି ବୋଲି ଜଣାପଡ଼ିବା ପରେ ଭାରତ ସରକାର ଏ ନେଇ ପାକିସ୍ତାନକକୁ ଦାୟୀ କରିଥିଲେ। ତେଣୁ ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ବଳିଦାନର ମୂଲ୍ୟ ପାକିସ୍ତାନକୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ। ଏହାର ପ୍ରତିକ୍ରିୟା ସ୍ୱରୂପ ପାକିସ୍ତାନ ଏପରି କହିଛି।

ସମ୍ବନ୍ଧିତ ଖବର