ଘରକୁ ଫେରିବାକୁ ଟ୍ରାଭେଲ୍‌ ଡକ୍ୟୁମେଣ୍ଟ୍‌ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜମ୍ମୁ ଓ କଶ୍ମୀରରେ ପାକିସ୍ତାନୀ ମହିଳାଙ୍କ ଆବେଦନ

ଶ୍ରୀନଗର: ଆତଙ୍କବାଦୀ ଥଇଥାନ ନୀତି ଅଧୀନରେ ସ୍ୱାମୀମାନଙ୍କ ସହ ଜମ୍ମୁ ଓ କଶ୍ମୀର ଆସିଥିବା ଦଳେ ପାକିସ୍ତାନୀ ମହିଳା ଘରକୁ ଫେରିବା ସକାଶ ଆବଶ୍ୟକ କାଗଜପତ୍ର ଯୋଗାଇ ଦେବାକୁ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କର ପାକିସ୍ତାନୀ ପ୍ରତିପକ୍ଷ ଇମ୍ରାନ୍‌ ଖାଁଙ୍କୁ ଆବେଦନ କରିଛନ୍ତି।

ପ୍ରତିଶ୍ରୁତି ମୁତାବକ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ସେମାନଙ୍କୁ ଯୋଗାଇ ଦିଆ ଯାଇ ନ ଥିବା କଥା ସେମାନେ ଅଭିଯୋଗ କରିଛନ୍ତି।

ଅସ୍ତ୍ରଶସ୍ତ୍ର ତାଲିମ ନିମନ୍ତେ ଜମ୍ମୁ ଓ କଶ୍ମୀରର ଯେଉଁ ଯୁବକମାନେ ନିୟନ୍ତ୍ରଣ ରେଖା ଟପି ଯାଇଥିଲେ, କିନ୍ତୁ ଆତଙ୍କବାଦ ପରିତ୍ୟାଗ କରି ଘରକୁ ଫେରି ସ୍ୱାଭାବିକ ଜୀବନଯାପନ କରିବାକୁ ଚାହୁଁଥିଲେ ସେମାନଙ୍କ ଲାଗି ୨୦୦୧ରେ ଏନ୍‌ସି ଉପାଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍‌ ଅବ୍ଦୁଲ୍ଲା ଏକ ଥଇଥାନ ନୀତି ଘୋଷଣା କରିଥିଲେ।

ସମ୍ପୃକ୍ତ ମହିଳାମାନେ କହିଛନ୍ତି: ଓମାର ଅବ୍ଦୁଲ୍ଲା ସରକାରଙ୍କ ଘୋଷିତ ଥଇଥାନ ନୀତି ସମୟରୁ ଆମେ ସ୍ୱାମୀ ଓ ପିଲାମାନଙ୍କ ସହ ଏଠାକୁ ଆସିଲୁ, ହେଲେ ଆମକୁ ପିଆର୍‌ସି କାଗଜପତ୍ର ମିଳିନାହିଁ। ଓଲଟି ଆମ ନାଁରେ ଏଫ୍‌ଆଇଆର୍‌ ଦିଆଯାଇ ଅକାରଣରେ ଆମକୁ ଅଦାଲତକୁ ଟଣା ଯାଉଛି।

ଦାବି ଉପସ୍ଥାପନ କରିବା ନିମନ୍ତେ ସମ୍ପୃକ୍ତ ମହିଳାମାନେ କଶ୍ମୀର ଉପତ୍ୟକାର ବିଭିନ୍ନ ଅଞ୍ଚଳରୁ ଆସି ଶ୍ରୀନଗରସ୍ଥିତ ରେସିଡେନ୍‌ସି ରୋଡ୍‌ରେ ସମବେତ ହୋଇଥିଲେ।

ମାନବିକତା ଦୃଷ୍ଟିରୁ ଆମକୁ ଟ୍ରାଭେଲ୍‌ ଡକ୍ୟୁମେଣ୍ଟ୍‌ ଯୋଗାଇ ଦିଆ ଯାଉ ବୋଲି ଆମେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀମାନଙ୍କୁ ଆବେଦନ କରୁଛୁ। ଯଦି ସେମାନେ ଆମକୁ ଟ୍ରାଭେଲ୍‌ ଡକ୍ୟୁମେଣ୍ଟ୍‌ ନ ଦିଅନ୍ତି, ଆମକୁ ବାହାର କରି ଦିଆଯିବ।

ସମ୍ବନ୍ଧିତ ଖବର