ଜାତିସଂଘ ଦଳକୁ ହାଫିଜ୍‌କୁ ଭେଟିବାକୁ ଦିଆଯିବ ନାହିଁ : ପାକ୍‌

ଇସ୍ଲାମାବାଦ : କୁଖ୍ୟାତ ଆତଙ୍କବାଦୀ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସଇଦ୍‌କୁ ନେଇ ସାରା ଦୂନିଆରେ ଅପଦସ୍ତ ହେବା ସତ୍ତ୍ୱେ ନିଜର ମୁହଁଟାଣ ଛାଡ଼ନାହିଁ ପାକିସ୍ତାନ । ପାକିସ୍ତାନ ଗସ୍ତରେ ଆସୁଥିବା ଜାତିସଂଘ ଦଳକୁ ହାଫିଜ୍‌କୁ ଭେଟିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପାକ୍‌ ସରକାର କହିଛନ୍ତି ।

ଜାତିସଂଘର ଏହି ଦଳ ଆସନ୍ତା ୨୫ ଓ ୨୬ ତାରିଖରେ ପାକିସ୍ତାନ ଗସ୍ତରେ ଯିବେ । ଏହା ଏକ ନିୟମିତ ଗସ୍ତ ବୋଲି ପାକ ସରକାର କହୁଛନ୍ତି । ଜାତିସଂଘ ଦ୍ୱାରା କଟକଣା ଲଗାଯାଇଥିବା ସଂଗଠନ ଗୁଡିକ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ସୂଚନା ସଂଗ୍ରହ ପାଇଁ ଏହି ଦଳ ଆସୁଥିବା ପାକ୍‌ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

୨୦୦୮ରେ ମୁମ୍ବାଇ ଆକ୍ରମଣ ପରେ ଜାତିସଂଘ ପକ୍ଷରୁ ହାଫିଜ ସଇଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇଥିଲା । ଏହା ସହିତ ହାଫିଜ ସଇଦର ସଂଗଠନ ଜମାୟତ ଉଲ୍‌ ଦାଓ୍ଵାକୁ ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ଜାତିସଂଘର କଟକଣାକୁ ଖାତିର ନକରି ପାକିସ୍ତାନ ତାକୁ ସବୁପ୍ରକାରର ସହାୟତା ଯୋଗାଇଚାଲିଥିଲା । କିନ୍ତୁ ପରେ ଅନ୍ତର୍ଜାତୀୟ ସମୁଦାୟର ଚାପ ବଢିବା ପରେ ପାକିସ୍ତାନ ସଇଦ୍‌କୁ ଗୃହବନ୍ଦୀ ରଖିଥିଲା । ତେବେ କିଛି ଦିନ ତଳେ ତାକୁ ମୁକ୍ତ କରାଯାଇଛି । ଏପରିକି ତା ବିରୁଦ୍ଧରେ କୌଣସି ମାମଲା ନଥିବା ସେଠାକାର ସରକାର କହୁଛନ୍ତି ।

ସମ୍ବନ୍ଧିତ ଖବର