ପାକିସ୍ତାନ ବି ଦିନେ ସୋଭିଏତ ଋଷ ପରି ଖଣ୍ଡ ଖଣ୍ଡ ହୋଇଯିବ : ପାକ୍‌ କୂଟନିତିଜ୍ଞ

ନୂଆଦିଲ୍ଲୀ: ବମ୍‌ ତିଆରି ନିଶା ନ ଛାଡ଼ିଲେ ପାକିସ୍ତାନ ଦିନେ ସୋଭିଏତ ଋଷ ପରି ଖଣ୍ଡ ବିଖଣ୍ଡ ହୋଇଯିବ । ସେତେବେଳକୁ ପସ୍ତେଇବାକୁ ମଧ୍ୟ ସୁଯୋଗ ମିଳିବ ନାହିଁ । ଏକଥା ଭାରତ ବା ଆମେରିକାର କୌଣସି ବିଶେଷଜ୍ଞ ନୁହଁନ୍ତି, ବରଂ ଜଣେ ପାକିସ୍ତାନୀ କୂଟନିତିଜ୍ଞ କହିଛନ୍ତି ।

ସେ ହେଉଛନ୍ତି ଆମେରିକାରେ ଅବସ୍ଥାପିତ ପୂର୍ବତନ ପାକିସ୍ତାନି ରାଷ୍ଟ୍ରଦୂତ ହୁସେନ ହକ୍କାନି । ଫ୍ଲୋରିଡା ଷ୍ଟେଟ୍‌ ୟୁନିଭର୍ସିଟିରେ ଛାତ୍ରମାନଙ୍କ ସହ ମତବିନିମୟ କଲାବେଳେ ସେ କହିଛନ୍ତି ଯେ ପାକିସ୍ତାନ ସବୁବେଳେ ଭାରତ ସହ ଅସ୍ତ୍ରଶସ୍ତ୍ରରେ ପ୍ରତିଯୋଗିତା କରୁଛି । ଭାବୁଛି ଭାରତଠାରୁ ଅଧିକ ପରମାଣୁ ବୋମା ତିଆରି କଲେ ଭାରତଠାରୁ ଆଗେଇଯିବ । କିନ୍ତୁ ଏକଥା ମାନିବାକୁ ପଡ଼ିବ ଯେ କେବଳ ପରମାଣୁ ବୋମା ତିଆରି କରି ପାକିସ୍ତାନ ଏକ ସଫଳ ଦେଶ ହୋଇପାରିବ ନାହିଁ । କାରଣ ଏସବୁ ବୋମା ଗୁଡ଼ିକ କିଛି କାମରେ ଆସିବ ନାହିଁ । କେବଳ ରହି ରହି ନଷ୍ଟ ହେବ । ଏଣୁ ଏ କ୍ଷେତ୍ରରେ ପ୍ରତିଯୋଗିତା କଲେ ହାରିବା ନିଶ୍ଚିତ । ଶୀତଳ ଯୁଦ୍ଧ ସମୟରେ ସୋଭିଏତ ଋଷ ଆମେରିକା ସହିତ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ପ୍ରତିଯୋଗିତା କରୁଥିଲା । ଅର୍ଥନୀତି ଉପରେ ଧ୍ୟାନ ଦେଲା ନାହିଁ । ଫଳରେ ଏହା ଖଣ୍ଡ ଖଣ୍ଡ ହୋଇଗଲା । ଏଥିରୁ ନ ଶିଖିଲେ ପାକିସ୍ତାନ ମଧ୍ୟ ଖଣ୍ଡ ଖଣ୍ଡ ହୋଇଯିବ ବୋଲି ସେ କହିଛନ୍ତି ।

ସଫଳ ଦେଶ ହେବାକୁ ହେଲେ ଅର୍ଥନୀତି ଓ ଶିକ୍ଷା କ୍ଷେତ୍ରରେ ପ୍ରତିଯୋଗିତା କରିବାକୁ ପଡିବ ।

ସମ୍ବନ୍ଧିତ ଖବର