ପାକିସ୍ତାନକୁ ଆଇସିଜେରେ ଝଟ୍‌କା : ଯାଦବଙ୍କ ମାମଲା ସ୍ଥଗିତ ଆବେଦନ ଖାରଜ

ଦ ହେଗ୍‌: ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ) ଆଜି କୁଳଭୂଷଣ ଯାଦବ ମାମଲା ସ୍ଥଗିତ ରଖିବା ପାଇଁ ପାକିସ୍ତାନର ଦାବିକୁ ଖାରଜ କରିଦେଇଛନ୍ତି। ଭାରତର ପୂର୍ବ ନୌସେନା ଅଫିସର୍‌ କୁଳଭୂଷଣ ଯାଦବଙ୍କୁ ଖଲାସ କରାଯିବା ମାମଲାରେ ଆଜି ପାକିସ୍ତାନ ନିଜ ପକ୍ଷ ରଖିଥିଲା। ଗତକାଲି ଭାରତ ଏହି ମାମଲାରେ ନିଜ ପକ୍ଷ ରଖି କୁଳଭୂଷଣ ସଂପୂର୍ଣ୍ଣ ନିର୍ଦ୍ଦୋଷ ଏବଂ ତାଙ୍କୁ ପାକିସ୍ତାନ ଇରାନ୍‌ରୁ ଅପହରଣ କରିନେଇ ଭାରତକୁ ବଦନାମ କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀ ଆଖ୍ୟା ଦେଉଥିବା ଯୁକ୍ତି ଦର୍ଶାଇଥିଲା। ପାକିସ୍ତାନ ପକ୍ଷରୁ ଆଡ୍‌ ହକ୍‌ ବିଚାରଙ୍କୁ ନେଇ କରାଯାଇଥିବା ଆପତ୍ତି ଉପରେ ଆଇସିଜେ କହିଛନ୍ତି ଯେ ପରବର୍ତ୍ତୀ ସମୟରେ ଏ ବାବଦରେ କୋର୍ଟ ସ୍ଥିତି ସ୍ପଷ୍ଟ କରିବେ।
ଆଜି ପାକିସ୍ତାନର ଏଟର୍ଣ୍ଣି ଜେନେରାଲ ନିଜ ପକ୍ଷ କରି ଭାରତ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଛି ବୋଲି କହିଥିଲେ। ଚୀନ୍‌-ପାକିସ୍ତାନ ଆର୍ଥିକ କରିଡରକୁ ପ୍ରଭାବିତ କରିବା ପାଇଁ ଭାରତ ଏଭଳି କରୁଛି ଏବଂ କୁଳଭୂଷଣ ଏହାର ଏକ ଜ୍ବଳନ୍ତ ଉଦାହରଣ ବୋଲି ସେ କହିଥିଲେ। ୧୯୪୭ ମସିହାରୁ ପାକିସ୍ତାନରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି ପାଇଁ ଭାରତ ପ୍ରୟାସ କରି ଆସୁଛି ବୋଲି ସେ କହିଥିଲେ। ଏବେ ଆଇସିଜେରେ ଉଭୟ ଭାରତ ଓ ପାକିସ୍ତାନର ଚୂଡ଼ାନ୍ତ ଦଲିଲ ଉପସ୍ଥାପନ ହୋଇସାରିଥିବାରୁ ଏହି ମାମଲାର ରାୟ ଏପ୍ରିଲ୍‌ ସୁଦ୍ଧା ଆସିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର