ଓ୍ଵାଘା ସୀମାରେ ବୋମା ବିସ୍ଫୋରଣ ମାମଲାରେ ୩ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ ପାକିସ୍ତାନ କୋର୍ଟ

ଲାହୋର : ଆତଙ୍କବାଦୀ କାଣ୍ଡ ପାଇଁ ପାକିସ୍ତାନରେ ୩ଜଣ ଆତଙ୍କବାଦୀଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦିଆଯାଇଛି । ଲାହୋରର ଏକ ଆତଙ୍କବାଦ ନିରୋଧୀ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି । ଆଶ୍ଚର୍ଯ୍ୟକଥା ହେଉଛି ମୃତ୍ୟୁଦଣ୍ଡ ସହ ସେମାନଙ୍କୁ ୩୦୦ ବର୍ଷର ଜେଲଦଣ୍ଡ ମଧ୍ୟ ଦିଆଯାଇଛି । ଏହି ତିନିଜଣ ଆତଙ୍କବାଦୀ ହେଉଛନ୍ତି ହସିବୁଲ୍ଲା, ସଇଦ ଜନ ଗନା ଓ ହୁସେନୁଲ୍ଲା । ତେବେ କୋର୍ଟ ଆଉ ୩ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ସେମାନେ ପାକିସ୍ତାନରେ ନିଷିଦ୍ଧ ଘୋଷିତ ହୋଇଥିବା ଜମାତ-ଉଲ-ଅହରାରର ସଦସ୍ୟ । ଏହି ସଂଗଠନ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ତାଲିବାନ-ପାକିସ୍ତାନର ଏକ ଶାଖା ସଂସ୍ଥା । ୨୦୧୪ ନଭେମ୍ବର ୨ରେ ସେମାନେ ପାକିସ୍ତାନ ଓ ଭାରତକୁ ଯୋଡୁଥିବା ଓ୍ଵାଘା-ଆଟାରୀ ସୀମାରେ ଆତ୍ମଘାତୀ ବୋମା ବିସ୍ଫୋରଣ କରିଥିଲେ । ପାକିସ୍ତାନ ପଟେ ଏହି ବିସ୍ଫୋରଣ ହୋଇଥିଲା ଓ ଏଥିରେ ପ୍ରାୟ ୬୦ ଲୋକ ମୃତ୍ୟୁବରଣ କରିଥିଲେ । ମୃତକମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିଲେ । ଏହି ଆକ୍ରମଣରେ ପ୍ରାୟ ୧୫-୨୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇଥିଲା ପରେ ତଦନ୍ତରୁ ଜଣାପଡ଼ିଥିଲା ।
ସୂଚନାଯୋଗ୍ୟ ଯେ ଓ୍ଵାଘା ହେଉଛି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଏକ ଗ୍ରାମ । ସେହିପରି ଭାରତ ପଟେ ଥିବା ସ୍ଥାନକୁ ଅଟାରି ବୋଲି କୁହାଯାଏ । ମିଳିତଭାବେ ଏହାକୁ ଓ୍ଵାଘା-ଅଟାରୀ ସୀମା ବୋଲି କୁହାଯାଏ ।

ସମ୍ବନ୍ଧିତ ଖବର