ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲା: ପାକିସ୍ତାନ କଳା ତାଲିକାଭୁକ୍ତ

ଏଫ୍‌ଏଟିଏଫ୍‌ର ବଡ଼ ନିଷ୍ପତ୍ତି, ଅନ୍ତର୍ଜାତୀୟ କଟକଣା ବଢ଼ିବ

ଇସ୍‌ଲାମାବାଦ: ଚରମ ଆର୍ଥିକ ସଙ୍କଟର ମୁକାବିଲା କରୁଥିବା ପାକିସ୍ତାନକୁ ଆଜି ବଡ଼ ଝଟ୍‌କା ଲାଗିଛି। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ନଜର ରଖୁଥିବା ‘ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ’ (ଏଫ୍‌ଏଟିଏଫ୍‌)ର ଏସିଆ ଶାଖା ଆଜି ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଛି। ପୂର୍ବରୁ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ‘ଗ୍ରେ ଲିଷ୍ଟ୍‌’ରେ ରଖିଥିଲା। ଏବେ କଳା ତାଲିକାଭୁକ୍ତ ହୋଇଥିବାରୁ ପାକିସ୍ତାନ ବିରୋଧରେ ବିଭିନ୍ନ ଅନ୍ତର୍ଜାତୀୟ କଟକଣା ଲାଗୁ ହେବ। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦ କରିବା ଏବଂ ମନି ଲଣ୍ଡ୍ରିଂ ରୋକିବା କ୍ଷେତ୍ରରେ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବାରେ ପାକିସ୍ତାନ ବିଫଳ ହୋଇଥିବାରୁ ଏହାକୁ କଳା ତାଲିକାଭୁକ୍ତ କରାଯାଇଛି ବୋଲି ଏଫ୍‌ଏଟିଏଫ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏ ବାବଦରେ ଏଫ୍‌ଏଟିଏଫ୍‌ ଦ୍ବାରା ଧାର୍ଯ୍ୟ ୪୦ଟି ମାନଦଣ୍ଡରୁ ୩୨ଟି ପୂରଣ କରିବାରେ ପାକିସ୍ତାନ ଅସମର୍ଥ ହୋଇଥିବା ଏଥିରେ ଦର୍ଶାଯାଇଛି। ଅଷ୍ଟ୍ରେଲିଆର ରାଜଧାନୀ କେନ୍‌ବରାରେ ଆୟୋଜିତ ଏଫ୍‌ଏଟିଫ ଏସିଆ ପ୍ରଶାନ୍ତ ଶାଖାର ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଛି। ଏଫ୍‌ଏଟିଏଫ୍‌ ଦ୍ବାରା କୌଣସି ରାଷ୍ଟ୍ର ଥରେ କଳା ତାଲିକାଭୁକ୍ତ ହେଲେ ଏହା ଆଉ ଗ୍ରେ ଲିଷ୍ଟ୍‌ରୁ ମୁକୁଳିପାରିବ ନାହିଁ।

ବିଶ୍ବ ବ୍ୟାଙ୍କ, ଆଇଏମ୍‌ଏଫ୍‌, ଏଡିବି ଋଣ ମିଳିବା କଷ୍ଟକର ହୋଇପଡ଼ିବ

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ପାକିସ୍ତାନର ଆଚରଣ ଅତ୍ୟନ୍ତ ଉଦ୍‌ବେଗଜନକ ଏବେ ଏଥିରେ ଅଙ୍କୁଶ ଲଗାଇବା କ୍ଷେତ୍ରରେ ଏହି ରାଷ୍ଟ୍ରର ବିଫଳତା ସମଗ୍ର ଏସିଆ ପାଇଁ ବିପଦ ସୃଷ୍ଟି କରିଛି ବୋଲି ଏଫ୍‌ଏଟିଏଫ୍‌ କହିଛି। ମେ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନକୁ ଏ ବାବଦରେ ଯେଉଁ ସମୟ ଦିଆଯାଇଥିଲା ସେହି ସମୟ ମଧ୍ୟରେ କୌଣସି ସକରାତ୍ମକ କାର୍ଯ୍ୟାନୁଷ୍ଠାନ ହୋଇଥିବା ନଜିର ନାହିଁ ବୋଲି ଏଫ୍‌ଏଟିଏଫ୍‌ ପକ୍ଷରୁ କୁହାଯାଇଛି । ଏବେ କଳା ତାଲିକାଭୁକ୍ତ ହୋଇଥିବା ପାକିସ୍ତାନକୁ ବିଶ୍ବ ବ୍ୟାଙ୍କ, ଆଇଏମ୍‌ଏଫ୍‌, ଏଡିବି, ୟୁରୋପୀୟ ସଂଘ ଭଳି ସଂସ୍ଥାଠାରୁ ଋଣ ମିଳିବା କଷ୍ଟକର ହୋଇପଡ଼ିବ। ଏହା ବ୍ୟତୀତ ମୁଡିଜ୍ ଭଳି ଅନ୍ତର୍ଜାତୀୟ ଏଜେନ୍ସି ପାକିସ୍ତାନର ରେଟିଂ ମଧ୍ୟ ହ୍ରାସ କରିବେ। ଅନ୍ୟପକ୍ଷରେ ଆଜି ପାକିସ୍ତାନ ଗୋଟିଏ ପଟେ ଏଫ୍‌ଏଟିଏଫ୍‌ ରିପୋର୍ଟକୁ ମିଥ୍ୟା ବୋଲି କହି ପ୍ରତ୍ୟାଖ୍ୟାନ କରିଥିବା ବେଳେ ଅନ୍ୟପଟେ ଏ ବାବଦ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଚୀନ୍‌ର ଶରଣ ପଶିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର