ପାକିସ୍ତାନକୁ କଳାତାଲିକାଭୁକ୍ତ କରିବା ମାମଲା: ଏଫ୍‌ଏଟିଏଫ୍‌ ନିଷ୍ପତ୍ତି ୧୮ରେ

କୌଣସି ରାଷ୍ଟ୍ରର ସମର୍ଥନ ମିଳିଲା ନାହିଁ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଏବଂ ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କ ମନି ଲଣ୍ଡରିଂକୁ ରୋକିବାରେ ବିଫଳ ହୋଇଥିବା ପାକିସ୍ତାନକୁ ଫାଇାନାନ୍‌ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) କଳା ତାଲିକାଭୁକ୍ତ କରିବା ସମ୍ଭାବନା ବଳବତ୍ତର ହୋଇଛି। ଗତକାଲିଠାରୁ ପ୍ୟାରିସ୍‌ରେ ଆରମ୍ଭ ହୋଇଥିବା ଏଫ୍‌ଏଟିଏଫ୍‌ ବୈଠକରେ କୌଣସି ପ୍ରମୁଖ ରାଷ୍ଟ୍ରର ସମର୍ଥନ ପାକିସ୍ତାନକୁ ମିଳିନାହିଁ। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପାକିସ୍ତାନ ବିଫଳ ହୋଇଥିବା ପ୍ରାୟ ସମସ୍ତ ସଦସ୍ୟ ରାଷ୍ଟ୍ର ସ୍ବୀକାର କରିଛନ୍ତି। ଏଫ୍‌ଏଟିଏଫ୍‌ର ୨୭ଟି ସର୍ତ୍ତରୁ ପାକିସ୍ତାନ କେବଳ ୬ଟି ପାଳନ କରିଛି। ତେଣୁ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବା କିମ୍ବା ପୂର୍ବ ଭଳି ଗ୍ରେ ଲିଷ୍ଟ୍‌ରେ ରଖାଯିବ ସେ ନେଇ ଆସନ୍ତା ୧୮ ତାରିଖ ଦିନ ନିଷ୍ପତ୍ତି ନିଆଯିବ। ଆବଶ୍ୟକସ୍ଥଳେ ପାକିସ୍ତାନକୁ ଗ୍ରେ ଏବଂ ବ୍ଲାକ୍‌ ଲିଷ୍ଟ୍‌ ମଝିରେ ‘ଡାର୍କ ଗ୍ରେ’‌ ଶ୍ରେଣୀରେ ରଖାଯିବ ବୋଲି ଏଫ୍‌ଏଟିଏଫ୍‌ ସୂତ୍ରରୁ ଜଣାପଡ଼ିଛି। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ, ମନି ଲଣ୍ଡରିଂ ଏବଂ ଅନ୍ତର୍ଜାତୀୟ ଅର୍ଥ ବ୍ୟବସ୍ଥା ପ୍ରତି ଆତଙ୍କବାଦୀଙ୍କ ଆଡ଼ୁ ଥିବା ବିପଦକୁ ଦୂର କରିବା ପାଇଁ ୧୯୮୯ରେ ଏଫ୍‌ଏଟିଏଫ୍‌ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର