ମୁସାରଫଙ୍କ ଜାତୀୟ ପରିଚୟ ପତ୍ର ରଦ୍ଦ କରିବେ ପାକିସ୍ତାନ ସରକାର 

ଇସଲାମାବାଦ୍‌: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଏବଂ ସାମରିକ ଶାସକ ପରଭେଜ ମୁସାରଫଙ୍କ ଜାତୀୟ ପରିଚୟ ପତ୍ର ରଦ୍ଦ କରିବେ ପାକିସ୍ତାନ ସରକାର। ମୁସାରଫ୍‌ଙ୍କ ଜାତୀୟ ପରିଚୟ ପତ୍ର ଏବଂ ପାସପୋର୍ଟ ବ୍ଲକ୍‌ କରିଦେବାପାଇଁ ପାକିସ୍ତାନ ସରକାର ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଥିବା ମାମଲାରେ ସେ କୋର୍ଟରେ ହାଜର ହେବାରେ ବିଫଳ ହେବାରୁ ସରକାର  ପୂର୍ବତନ ରାଷ୍ଟ୍ରପତିଙ୍କ ଗସ୍ତ ଏବଂ କେତେକ ନିର୍ଦ୍ଦିଷ୍ଟ ସୁବିଧାସୁଯୋଗ ଉପରେ କଟକଣା ଲଗାଇବାପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ପାକିସ୍ତାନ ସରକାରଙ୍କ କଟକଣା ଅନୁଯାୟୀ ମୁସାରଫ ବିଦେଶ ଗସ୍ତ କରିପାରିବେ ନାହିଁ କି ବ୍ୟାଙ୍କ ନେଣଦେଣ ସୁବିଧାସୁଯୋଗ ପାଇ ପାରିବେନି। ସେ ମଧ୍ୟ ପାକିସ୍ତାନ ଏବଂ ବିଦେଶରେ ଥିବା ତାଙ୍କ ସମ୍ପତ୍ତିର କିଣା ବିକା କରିପାରିବେନି। ତେବେ ମୁସାରଫଙ୍କ ବିରୋଧରେ ଥିବା ଦେଶଦ୍ରୋହ ମାମଲାର ଶୁଣାଣି କରି ଆଜି ଏକ ସ୍ୱତନ୍ତ୍ର କୋର୍ଟ ମୁସାରଫ୍‌ଙ୍କୁ ଗିରଫ କରିବାପାଇଁ ପାକିସ୍ତାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରିବାପାଇଁ କହିଛନ୍ତି।

ସମ୍ବନ୍ଧିତ ଖବର