କର୍ତାରପୁର ପ୍ରସଙ୍ଗରେ କଥା ବଦଳାଉଛି ପାକିସ୍ତାନ

ନୂଆଦିଲ୍ଲୀ: କର୍ତାରପୁର କରିଡର ପାଇଁ ପାକିସ୍ତାନ ଓ ଭାରତୀୟ ପ୍ରତିନିଧି ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହି ପ୍ରକଳ୍ପର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଛି। ଉଭୟ ଦେଶର ଲୋକଙ୍କ ମଧ୍ୟରେ ସୁସଂପର୍କ ବୃଦ୍ଧି ପାଇଁ ଏହି ପ୍ରକଳ୍ପ ନିମନ୍ତେ ଖୋଲାମନରେ କାମ କରିବ ବୋଲି ପାକିସ୍ତାନ ଯେଭଳି ପ୍ରଚାର କରିଆସୁଛି, ବାସ୍ତବ ସ୍ଥିତି ତା’ଠାରୁ ସଂପୂର୍ଣ୍ଣ ଭିନ୍ନ ବୋଲି କେତେକ ବରିଷ୍ଠ ଅଧିକାରୀ କହିଛନ୍ତି। ଭାରତ କର୍ତାରପୁର ଗୁରୁଦ୍ବାରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ସଂପୂର୍ଣ୍ଣ ଭିସା ମୁକ୍ତ କରିବାକୁ ଦାବି କରିଥିବା ବେଳେ ପାକିସ୍ତାନ ଏ ନେଇ କୌଣସି ପ୍ରତିକ୍ରିୟା ଦେଉନାହିଁ। ଦୈନିକ ୫ ହଜାର ଶ୍ରଦ୍ଧାଳୁଙ୍କୁ ବିନା ଭିସାରେ ଯିବା ପାଇଁ ଅନୁମତି ଦେବାକୁ ଭାରତ କହିଛି। ପଂଜାବର ଗୁରୁଦାସପୁର ଜିଲ୍ଲା ସୀମା ଏବଂ କର୍ତାରପୁର ସାହିବ ପର୍ଯ୍ୟନ୍ତ ପ୍ରସ୍ତାବିତ କରିଡର ଖୋଲିବା ନେଇ ଯେଉଁ ନିର୍ମାଣ କାର୍ଯ୍ୟ ହେବ ସେ ନେଇ ମଧ୍ୟ ପାକିସ୍ତାନ ଅନେକ ବିବାଦୀୟ ସ୍ଥିତି ଉତ୍ପନ୍ନ କରୁଛି। ଶ୍ରଦ୍ଧାଳୁଙ୍କୁ କର୍ତାରପୁର ସାହିବ ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ଅନୁମତି ଦେବା ଏବଂ ସପ୍ତାହରେ ୭ ଦିନ ଏହି କରିଡର ଖୋଲା ରଖିବାକୁ ଭାରତର ପ୍ରସ୍ତାବକୁ ପାକିସ୍ତାନ ଉଦାରତାର ସହ ନେଇନାହିଁ। ଭାରତ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ କର୍ତାରପୁର କରିଡରକୁ ସଫଳ କରିବାକୁ ହେଲେ ଶ୍ରଦ୍ଧାଳୁଙ୍କୁ ବିନା ଭିସାରେ ପ୍ରବେଶ ଅନୁମତି ମିଳିବା ଆବଶ୍ୟକ। ଏହା କାର୍ଯ୍ୟକାରୀ ହେଲେ ଅନ୍ୟ ସମସ୍ୟାଗୁଡ଼ିକର ତ୍ବରିତ ସମାଧାନ ହୋଇପାରିବ ବୋଲି ଭାରତ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର