‘ଜୋତା’କୁ ନେଇ ପାକିସ୍ତାନର ଖେଳ

ଭାରତକୁ ଅପଦସ୍ଥ କରିବାକୁ ଇସ୍‌ଲାମାବାଦର ନୂଆ ଚାଲ

କୁଳଭୂଷଣ ପତ୍ନୀଙ୍କ ଜୋତାର ଫରେନ୍‌ସିକ ଯାଞ୍ଚ ପାଇଁ ପଠାଇଲା

ନୂଆଦିଲ୍ଲୀ : ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ନେଇ ପାକିସ୍ତାନ ଅତ୍ୟନ୍ତ ଲଜ୍ଜାହୀନ ଆଚରଣ ପ୍ରଦର୍ଶନ କରିବାକୁ ପଛାଉ ନାହିଁ। କୁଳଭୂଷଣଙ୍କୁ ତାଙ୍କ ପତ୍ନୀ ଓ ମା’ଙ୍କ ସହ ସାକ୍ଷାତ ସୁଯୋଗ ଦେଇଥିବା ପାକିସ୍ତାନ ଭାରତକୁ ଅପମାନିତ କରିବା ପାଇଁ କୁଳଭୂଷଣଙ୍କ ପତ୍ନୀଙ୍କ ଜୋତାକୁ ସନ୍ଦେହ ଘେରକୁ ଟାଣିଛି। ଜୋତାକୁ ଜବତ କରି ଏହାର ଫରେନ୍‌ସିକ ଯାଞ୍ଚ କରିବାକୁ ପଠାଇଛି। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ସୋମବାର କୁଳଭୂଷଣଙ୍କୁ ଭେଟିବା ପାଇଁ ତାଙ୍କ ପତ୍ନୀ ଓ ମା’ ଇସଲାମାବାଦ ଗସ୍ତ କରିଥିବା ବେଳେ ପାକିସ୍ତାନ କର୍ତ୍ତୃପକ୍ଷ ସେମାନଙ୍କର କଡ଼ା ଯାଞ୍ଚ କରିଥିଲେ ଏବଂ ପତ୍ନୀଙ୍କ ଜୋତା ମଧ୍ୟ ରଖିନେଇଥିଲେ। ଏହି ଜୋତାରେ କୌଣସି ସନ୍ଦେହଜନକ ଧାତବ ସାମଗ୍ରୀ ଥିବା ଦର୍ଶାଇ ଏହାର ଫରେନ୍‌ସିକ ଯାଞ୍ଚ ପାଇଁ ପଠାଯାଇଥିବା ପାକ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନର ଏଭଳି ବିବାଦୀୟ ଓ ଅଶୋଭନୀୟ ଆଚରଣକୁ ଭାରତ କଡ଼ା ବିରୋଧ କରିଛି। ପାକିସ୍ତାନ ଆଦୌ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଭାରତ ଗତକାଲି ବୟାନ ଜାରି କରିବା ପରେ ଆଜି ପାକିସ୍ତାନ ଏହାର ଜବାବ୍‌ ରଖିଛି। କୁଳଭୂଷଣଙ୍କ ପତ୍ନୀଙ୍କ ଜୋତା ନ ଫେରାଇବା ମାମଲାରେ ଭାରତର ଅଭିଯୋଗକୁ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଖଣ୍ଡନ କରିଛି।

ପାକ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ କୁଳଭୂଷଣଙ୍କ ପତ୍ନୀଙ୍କ ଜୋତା ରଖାଯାଇଛି। ଜୋତାରେ ଧାତବ ପଦାର୍ଥ ମିଳିଥିବାରୁ ଏହାକୁ କ୍ୟାମେରା କିମ୍ବା ରେକର୍ଡିଂ ଚିପ୍‌ ବୋଲି ସନ୍ଦେହ କରି ଫରେନ୍ସିକ୍‌ ପରୀକ୍ଷା ପାଇଁ ପଠାଯାଇଛି। ପାକିସ୍ତାନ ପୁଣିଥରେ କୁଳଭୂଷଣଙ୍କ ବିରୋଧରେ ଏହାର ବୟାନକୁ ଦୋହରାଇ କହିଛି ଯେ ଆତଙ୍କବାଦୀ ଏବଂ ଗୁଇନ୍ଦାଗିରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡଭୋଗୁଥିବା ଯାଦବଙ୍କ ପତ୍ନୀ ଓ ତାଙ୍କ ମା’ଙ୍କୁ ପାକିସ୍ତାନ ଅପମାନିତ କରିଥିବା ନେଇ ଭାରତ ଯେଉଁ ଅଭିଯୋଗ ଆଣିଛି ତାହା ଭିତ୍ତିହୀନ। ପାକିସ୍ତାନ ମାନବିକତା ଦୃଷ୍ଟିକୋଣରୁ କୁଳଭୂଷଣଙ୍କ ସହ ତାଙ୍କ ପତ୍ନୀ ଓ ମା’ଙ୍କର ସାକ୍ଷାତ ସୁଯୋଗ ଦେଇଥିବା ପ୍ରଚାର କରୁଥିଲେ ସୁଦ୍ଧା ପାକିସ୍ତାନ ଯାଦବ ପରିବାରକୁ ଅପମାନିତ କରିବାକୁ ଭରପୂର ପ୍ରୟାସ କରିଥିବା ସ୍ପଷ୍ଟ ହୋଇଯାଇଛି। ଏହା ଉଭୟ ଦେଶର ପାରସ୍ପରିକ ବୁଝାମଣାକୁ ଉଲ୍ଳଂଘନ କରିଛି ବୋଲି ଭାରତ କହିଛି।

୨୫ ତାରିଖ ଦିନ ପାକିସ୍ତାନ ବୈଦେଶିକ ବ୍ୟାପାର କାର୍ଯ୍ୟାଳୟରେ ସାକ୍ଷାତ ପୂର୍ବରୁ କୁଳଭୂଷଣଙ୍କ ପତ୍ନୀ ଓ ମା’ଙ୍କର ମଙ୍ଗଳସୁତ୍ର, ଚୁଡ଼ି ଓ ବିନ୍ଦି କାଢ଼ିନିଆଯାଇଥିଲା। ସାକ୍ଷାତ ସମୟରେ ଭାରତୀୟ ରାଷ୍ଟ୍ରଦୁତ ଉପସ୍ଥିତ ରହିବେ ବୋଲି ପାକିସ୍ତାନ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ସାକ୍ଷାତକାର ବେଳେ ଭାରତୀୟ ଡେପୁଟି ହାଇକମିସନରଙ୍କୁ ଅଲଗା ରଖାଯାଇଥିଲା। କୁଳଭୂଷଣଙ୍କୁ ଆତଙ୍କବାଦୀ ଦର୍ଶାଇ ମିଥ୍ୟା ଅଭିଯୋଗରେ ପାକ୍‌ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଥିବାରୁ ଏବେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ଏହି ମାମଲା ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର