ରୁଷ୍‌ର ନିକଟତର ହେଉଛି ପାକିସ୍ତାନ

ଟ୍ୟାଙ୍କ୍‌, ବିମାନ ବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ: ଭାରତ ରୁଷିଆଠାରୁ ଯେଉଁ ଭାରୀ ଯୁଦ୍ଧାସ୍ତ୍ର ହାସଲ କରିଛି ଏବଂ କରିବା ପ୍ରକ୍ରିୟାରେ ରହିଛି ସେହି ସମାନ ଯୁଦ୍ଧାସ୍ତ୍ର ଖରିଦ୍‌ କରିବା ପାଇଁ ପାକିସ୍ତାନ ଏବେ ବଡ଼ ଧରଣର ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ ରୁଷ୍‌ ଓ ପାକିସ୍ତାନ ମଧ୍ୟରେ ଖୁବ୍‌୍‌ଶୀଘ୍ର ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ଜଣାପଡ଼ିଛି । ରୁଷ୍‌ର ଶକ୍ତିଶାଳୀ ଟି-୯୦ ଟ୍ୟାଙ୍କ ଏବଂ ବିମାନ ବିଧ୍ୱଂସୀ କ୍ଷେପଣାସ୍ତ୍ର କ୍ରୟ କରିବା ପାଇଁ କଥାବାର୍ତ୍ତା ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୁରାମ୍‌ ଦସ୍ତଗିର ଖାନ୍‌ କହିଛନ୍ତି। ଭାରତୀୟ ସେନା ମଧ୍ୟ ରୁଷ୍‌ ନିର୍ମିତ ଟି-୨୦ ଯୁଦ୍ଧ ଟ୍ୟାଙ୍କ ବ୍ୟବହାର କରୁଛି ଏବଂ ଅନ୍ୟ ରାଷ୍ଟ୍ରଗୁଡ଼ିକ ନିର୍ମାଣ କରୁଥିବା ଟ୍ୟାଙ୍କଠାରୁ ଏହା ଅଧିକ ଶକ୍ତିଶାଳୀ। ଅତ୍ୟାଧୁନିକ ବାୟୁ ସୁରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଏସ୍‌-୪୦୦ କ୍ରୟ କରିବା ପାଇଁ ଅକ୍ଟୋବର ୨୦୧୬ରେ ଭାରତ ରୁଷିଆ ସହ ଚୁକ୍ତି କରିଛି। ତେବେ ଏସ୍‌-୪୦୦ ପାକିସ୍ତାନକୁ ମିଳିବା ଏତେ ସହଜ ନୁହେଁ ବୋଲି କୁହାଯାଉଛି । କିନ୍ତୁ ପାକିସ୍ତାନ ଏହି କ୍ଷେପଣାସ୍ତ୍ର ବିଧ୍ୱଂସୀ ବ୍ୟବସ୍ଥା କ୍ରୟ କରିବା ପାଇଁ ରୁଷ୍‌କୁ ଅନୁରୋଧ କରିବ ବୋଲି ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ପାକିସ୍ତାନ ଏବଂ ରୁଷ୍‌ ମଧ୍ୟରେ ଏବେ ସଂପର୍କରେ ସୁଧାର ଆସିଛି। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ଆମେରିକା ଏହା ବିରୋଧରେ କେତେକ କଟକଣା ଜାରି କରିବା ପରେ ପାକିସ୍ତାନ ରୁଷ୍‌ର ନିକଟତର ହେଉଛି।

ସମ୍ବନ୍ଧିତ ଖବର