ଜାମ୍ମୁରେ ନଦୀବନ୍ଧ ନିର୍ମାଣ , ଭାରତ ବିରୋଧରେ ବିଶ୍ୱବ୍ୟାଙ୍କରେ ଅଭିଯୋଗ କଲା ପାକିସ୍ତାନ

ଇସ୍ଲାମାବାଦ: ପାକିସ୍ତାନକୁ ଯାଇଥିବା ନଦୀଗୁଡ଼ିକ ଉପରେ ଭାରତ ପକ୍ଷରୁ ନଦୀବନ୍ଧ ନିର୍ମାଣ କରାଯାଉଥିବାରୁ ପାକିସ୍ତାନ ତାହାର ବିରୋଧ କରିଛି । ଏସଂପର୍କରେ ପାକିସ୍ତାନ ବିଶ୍ୱ ବ୍ୟାଙ୍କରେ ଅଭିଯୋଗ କରିଛି । ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତିର ଉଲ୍ଲଙ୍ଘନ କରି ଭାରତର ଏସବୁ ନଦୀବନ୍ଧ ନିର୍ମାଣ କରୁଛି ବୋଲି ପାକିସ୍ତାନ ନିଜ ଅଭିଯୋଗରେ ଦର୍ଶାଇଛି । ୧୯୬୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଚୁକ୍ତିରେ ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତା କରିଥିଲା ।

ପାକିସ୍ତାନ ଭାରତ ପକ୍ଷରୁ ନିର୍ମାଣ କରାଯାଉଥିବା କ୍ରିଷନଗଙ୍ଗା,ରାଟଲ, ପକଲ ଡୁଲ ଓ ମ୍ୟାର ଆଦି ଡ୍ୟାମରୁ ଡିଜାଇନକୁ ନେଇ ବିରୋଧ କରିଛି । ଭାରତ ପକ୍ଷରୁ ଜାମ୍ମୁ ଓ କାଶ୍ମୀରରେ ଥିବା ଚେନାବ ନଦୀରେ ଦୁଇଟି ନଦୀବନ୍ଧ ନିର୍ମାଣ କରାଯାଉଛି । ଗୋଟିଏ ହେଉଛି ଚେନାବ ନଦୀର ଉପନଦୀ ମାରୁସାଦାର ନଦୀରେ ନିର୍ମାଣାଧୀନ ୧୦୦୦ ମେଗାଓ୍ଵାଟ୍‌ର ପକଲ ଡୁଲ ଡ୍ୟାମ ଓ ୪୮ ମେଗାଓ୍ଵାଟର କଲନାଇ ଡ୍ୟାମ । ଏହି ଡ୍ୟାମ ନିର୍ମାଣ ଦ୍ୱାରା ଭାରତ ସିନ୍ଧୁ ଜଳବଣ୍ଟନ ଆଇନର ଉଲ୍ଲଙ୍ଘନ କରିଛି ବୋଲି ପାକିସ୍ତାନ ଅଭିଯୋଗ କରିଛି । ସୂଚନାଯୋଗ୍ୟ ଯେ ହିମାଳୟରୁ ବାହାରି ଥିବା ୬ଟି ନଦୀ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ । ୧୯୬୦ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟତିନୋଟି ନଦୀ ପାକିସ୍ତାନ ନିୟନ୍ତ୍ରଣରେ ଅଛି ।

ସମ୍ବନ୍ଧିତ ଖବର