ଭାରତର ଲବି ଯୋଗୁଁ ଏଫଏଟିଏଫ ଦ୍ୱାରା କଳା ତାଲିକାଭୁକ୍ତ ହୋଇପାରେ ପାକିସ୍ତାନ

ଇସ୍ଲାମାବାଦ : ଭାରତର ଲବି ଯୋଗୁଁ ପାକିସ୍ତାନ ଏଫଏଟିଏଫରେ କଳା ତାଲିକାଭୁକ୍ତ ହେବାର ଆଶଙ୍କା ରହିଛି ବୋଲି ଏହାର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ କହିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଏବେ ଧୂଷର ତାଲିକାରେ ଥିବାରୁ ବର୍ଷକୁ ୧୦ ବିଲିୟନ ଡଲାରର କ୍ଷତି ସହୁଛି ।
ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ) ଦ୍ୱାରା ଗ୍ରେ (ଧୂଷର) ତାଲିକାରେ ରହିିଛି । ଏହା ସହିତ ଏଫଏଟିଏଫ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ।

ଗତ ବର୍ଷ ଏଫଏଟିଏଫ ପାକିସ୍ତାନକୁ ଗ୍ରେ ତାଲିକାରେ ରଖିଥିଲା । ଏହା ପରେ ପାକିସ୍ତାନର ଅର୍ଥନୀତି ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଛି । ଏହାର କାରଣ ହେଉଛି ପାକିସ୍ତାନ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଉ ଥିବାରୁ କୌଣସି ବହୁରାଷ୍ଟ୍ରୀୟ ସଂସ୍ଥା ତାହାକୁ ଋଣ ଦେବାକୁ ରାଜି ହେଉନାହାନ୍ତି । ଏହା ଯୋଗୁଁ ପାକିସ୍ତାନକୁ କୌଣସି ବିଦେଶୀ ପୁଞ୍ଜି ଆସୁନାହିଁ । ଗତ ବର୍ଷ ପାକିସ୍ତାନ ଗ୍ରସ୍ତରେ ଆସିଥିବା ଏଫଏଟିଏଫର ପ୍ରତିନିଧି ମଣ୍ଡଳ ପାକିସ୍ତାନକୁ ଚେତାବନୀ ଦେଇଥିଲେ ଯେ ଯଦି ଆତଙ୍କବାଦୀ ପାଣ୍ଠିଯୋଗାଣ ବାବଦରେ କଠୋର ପଦକ୍ଷେପ ନ ନିଏ, ତେବେ ବାଧ୍ୟ ହୋଇ ତାହାକୁ କଳା ତାଲିକାଭୁକ୍ତ କରାଯିବ । ଏହାର ଫାଇଦା ନେବାକୁ ଯାଉଛି ଭାରତ ।

ସମ୍ବନ୍ଧିତ ଖବର