ଭାରତ ବିରୋଧରେ ଛାୟାଯୁଦ୍ଧ ଆରମ୍ଭ କଲା ପାକିସ୍ତାନ; ଏକାଧିକ ଆଧୁୁନିକ ବଙ୍କର ଓ ହେଲିପ୍ୟାଡ୍‌ର ନିର୍ମାଣ ସହ ଯୁଦ୍ଧାସ୍ତ୍ର ଓ କ୍ଷେପଣାସ୍ତ୍ର ଗଚ୍ଛିତ କଲା ସୀମାନ୍ତରେ

ନୂଆଦିଲ୍ଲୀ: ଭାରତ- ପାକ୍‌ ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ଏବେ ତା’ର ସାମରିକ ଗତିବିଧିକୁ ଖୁବ୍‌ ଜୋରସୋରରେ ବଢ଼ାଇ ଦେଇଥିବା ସଂପର୍କରେ ରିପୋର୍ଟ ହସ୍ତଗତ ହୋଇଛି। ରିପୋର୍ଟ ମୁତାବକ, ଭାରତୀୟ ସୀମାର ଅତି ନିକଟରେ ପାକିସ୍ତାନ ସେନା ପକ୍ଷରୁ ସଂଖ୍ୟାଧିକ ଅତ୍ୟାଧୁନିକ ବଙ୍କର ଓ ହେଲିପ୍ୟାଡ୍‌ର ନିର୍ମାଣ ଚାଲିଛି। ଏହି ସମସ୍ତ ବଙ୍କରଗୁଡ଼ିକରେ ପାକିସ୍ତାନ ସେନା ନିଜର ଯୁଦ୍ଧାସ୍ତ୍ରଗୁଡ଼ିକୁ ଆଣି ଗଚ୍ଛିତ କରି ରଖିବା ସହ ବଙ୍କର ମଧ୍ୟରେ ଭାରତକୁ ଟାର୍ଗେଟରେ ରଖି କ୍ଷେପଣାସ୍ତ୍ର (ମିସାଇଲ୍‌)ଗୁଡ଼ିକୁ ମଧ୍ୟ ମୁତୟନ କରି ରଖୁଛି ବୋଲି ଏହି ରିପୋର୍ଟରେ କୁହାଯିବା ସହ ସୀମାନ୍ତରେ ପାକିସ୍ତାନ ପକ୍ଷରୁ ଭାରତ ବିରୋଧରେ ଏକ ପ୍ରକାରର ଛାୟାଯୁଦ୍ଧ ଆରମ୍ଭ ହୋଇ ଯାଇଥିବା କୁହାଯାଇଛି।

ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପ୍ରଦାନ କରା ଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ଅନ୍ତର୍ଜାତିକ ସୀମା ରେଖାରେ ଭାରତ ସୀମାକୁ ଲାଗି ପାକିସ୍ତାନ ଏବେ ତା’ର ସାମରିକ ଶକ୍ତିକୁ ବୃଦ୍ଧି କରାଇବା ଲକ୍ଷ୍ୟରେ ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିଛି। ଭାରତୀୟ ବାୟୁ ସେନାର ଆକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ପାକିସ୍ତାନୀ ସେନା ଏ ପ୍ରକାରର କାର୍ଯ୍ୟକ୍ରମ କରୁଛି। ଏଥିସହ ସୀମାନ୍ତର ଅନତି ଦୂରରେ ଥିବା ରହିମ୍‌ ୟାର ଖାନ୍‌ ଓ ଜଇସାଲମେର ଠାରେ ଦୁଇଟି ସାମରିକ ଗୋଦାମ ଖୋଲି ସେଠାରେ ନିଜର ଯୁଦ୍ଧାସ୍ତ୍ର ସବୁକୁ ଆଣି ମହଜୁଦ୍‌ କରି ରଖୁଛି। ଯେପରିକି ଜରୁରିକାଳୀନ ପରିସ୍ଥିତିରେ ବିନା କୌଣସି ପ୍ରକାରର ବିଳମ୍ବରେ ପାକିସ୍ତାନୀ ସେନାକୁ ସମସ୍ତ ପ୍ରକାରର ଯୁଦ୍ଧାସ୍ତ୍ର ଉପଲବ୍ଧ ହୋଇପାରିବ। ଭାରତୀୟ ସୀମା ଠାରୁ ମାତ୍ର ୩୭ କିଲୋମିଟର ଦୂରରେ ନିଜ ସୀମାର ବାହାବଲପୁର ଠାରେ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ ହେଲିପ୍ୟାଡ୍‌ର ନିର୍ମାଣ କାର୍ଯ୍ୟକୁ ମଧ୍ୟ ଶେଷ କରି ସାରିଲାଣି ପାକିସ୍ତାନ।

ଆଉ ପାକିସ୍ତାନ ସେନାକୁ ଏ ସମସ୍ତ କାର୍ଯ୍ୟରେ ସବୁ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଛି ଚୀନ୍‌। ସୀମାନ୍ତର ୮୨୦ କିଲୋମିଟର ବ୍ୟାପି ଅଞ୍ଚଳରେ ଚୀନ୍‌ ସହଯୋଗରେ ଅପ୍‌ଟିକ୍‌ ଫାଇବର ମଧ୍ୟ ପାକିସ୍ତାନ ସେନା ବିଛାଇ ସାରିଥିବା ଏହି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର