ଭାରତ ଫେରିଲେ ପାକିସ୍ତାନ ହାଇକମିସନର

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ କୁଟନୈତିକ ସ୍ତରରେ ପରସ୍ପର ବିରୋଧରେ ବୟାନବାଜି ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଭାରତରେ ନିଯୁକ୍ତ ପାକିସ୍ତାନ ହାଇକମିସନର ସୋହେଲ ମହମ୍ମୁଦ ଭାରତ ଫେରି ଆସିଛନ୍ତି। ଶୁକ୍ରବାର ଦିନ ପାକିସ୍ତାନ ଦିବସ ପାଳନ ଅବ୍ୟବହିତ ପୂର୍ବରୁ ପାକିସ୍ତାନ ହାଇକମିସନର ସୋହେଲ ମହମ୍ମୁଦ ଭାରତ ଫେରିଆସିବା ଉଭୟ ଦେଶରେ କୁଟନୈତିୀକସ୍ତରରେ ସୃଷ୍ଟି ହୋଇଥିବା ତିକ୍ତତାକୁ ହ୍ରାସ କରିବ ବୋଲି କୁହାଯାଉଛି। ପାକିସ୍ତାନ ଦିବସରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ ଜେ ଆକବର ମୁଖ୍ୟଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।


ନୂଆଦିଲ୍ଲୀର କୁଟନୈତିକସ୍ତରରେ ଚର୍ଚ୍ଚା ହେଉଛି ଯେ ମହମ୍ମୁଦଙ୍କ ଭାରତ ପ୍ରତ୍ୟାବର୍ତ୍ତନ ଉଭୟ ଦେଶ ମଧ୍ୟରେ ଥିବା ଗରମାଗରମ ସ୍ଥିତିକୁ କିଛି ପରିମାଣରେ ଥଣ୍ଡା କରି ପାରେ। ତେବେ ଭାରତ ପକ୍ଷରୁ ଗୁରୁବାର ଦିନ ଅଭିଯୋଗ କରାଯାଇଛିି ଯେ ଇସଲାମବାଦରେ ନିଯୁକ୍ତ ବହୁ ଅଧିକାରୀଙ୍କୁ ପାକିସ୍ତାନ କର୍ତ୍ତୃପକ୍ଷ ବିଭିନ୍ନ ଭାବେ ହଇରାଣ ହରକତ କରୁଛନ୍ତି। ସେହିପରି ପାକିସ୍ତାନ ମଧ୍ୟ ଗୁରୁବାର ଦିନ ସମାନ ଅଭିଯୋଗ କରିଛି।
ସୂଚନାଯୋଗ୍ୟ ଯେ ପ୍ରାୟ ୧ ସପ୍ତାହ ତଳେ ମହମ୍ମୁଦଙ୍କୁ ପାକସ୍‌ାନ ସରକାର ଇସଲାମବାଦ ଡକାଇ ନେଇଥିଲେ। ସେତେବେଳେ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଯେ ଭାରତରେ ପାକିସ୍ତାନ କୂଟନୀତିଜ୍ଞମାନଙ୍କୁ ହଇରାଣ ହରକତ କରାଯାଉଥିବା ଅଭିଯୋଗ ଉପରେ ପ୍ରକୃତ ତଥ୍ୟ ସଂଗ୍ରହ ପାଇଁ ମହମ୍ମୁଦଙ୍କୁ ଇସଲାମବାଦ ଡକାଯାଇଛି । ତେବେ ଭାରତ ପାକିସ୍ତାନରେ ନିଯୁକ୍ତ ଏହାର ହାଇକମିସନର ଅଜୟ ବିସାରିଆଙ୍କୁ ଡକାଇବା ପାଇଁ କୌଣସି ଉଦ୍ୟମ କରି ନାହିଁ। ତେବେ ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ସ୍ଥିତିରେ ପରିବର୍ତ୍ତନ ନ ହେବା ଯାଏ ସୋହେଲ ମହମ୍ମୁଦ ଭାରତ ଫେରୁ ନାହାଁନ୍ତି ।ତେବେ ଭାରତପକ୍ଷରୁ କୁହାଯାଇଥିଲା ଯେ ଏହା ପାକିସ୍ତାନର ଏକ ଚାଲ। ଡବ୍ଲ୍ୟୁଟିଓ ମିନିଷ୍ଟ୍ରିଆଲରୁ ପାକିସ୍ତାନକୁ କାଢ଼ିଦିଆଯିବା ପରେ ଚାପ ସୃଷ୍ଟି ପାଇଁ ପାକିସ୍ତାନ ଏପରି ନାଟକବାଜି କରିଛି ବୋଲି ଭାରତ ପକ୍ଷରୁ କୁହାଯାଇଥିଲା। ତେବେ ପାକିସ୍ତାନର ଏପରି ଆଚରଣ ଭାରତ ପାକିସ୍ତାନ ସମ୍ପର୍କକୁ ଅଧିକ ଖରାପ କରିବ ଓ ଏହା ଏଲଓସିରେ ପ୍ରତିପଳିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର